ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପ୍ରାକ ନିର୍ଵାଚନୀ ପ୍ରସ୍ତୁତି ଆରମ୍ଭ କଲା ବିଜୁ ଜନତା ଦଳ। ଦଳର ସଂଗଠନକୁ ଆହୁରି କ୍ରିୟାଶୀଳ କରିବା ଏବଂ ସାଙ୍ଗଠନିକ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଅକ୍ଟୋବର୨ ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏନେଇ ମଙ୍ଗଳବାର ଶଙ୍ଖଭବନ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଘୋଷଣା କରିଛନି ବରିଷ୍ଠ ନେତା ଦେବୀ ମିଶ୍ର।
ସାରା ରାଜ୍ୟ ରେ ଅକ୍ଟୋବର ୨ ରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ପଦଯାତ୍ରା କରିବେ ବିଜେଡି କର୍ମୀ। ଏହି ସମୟ ରେ ଜିଲ୍ଲା ସ୍ତରରେ ଚାଲିବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ହେବ ବୋଲି ଦେବୀ ମିଶ୍ର କହିଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୪ ରେ ନବୀନ ନିବାସ ରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ନିର୍ବାଚନ ଘୋଷଣା ହେଉ କି ନହେଉ ଦଳ ରଣନୀତି ପ୍ରସ୍ତୁତ କରିବା ଉପରେ ଜୋର ଦିଆଯାଇଥିଲା। ଗାନ୍ଧୀ ଜୟନ୍ତୀ ରୁ ପଦଯାତ୍ରା ଆରମ୍ଭ ହେବ ବୋଲି ଉକ୍ତ ବୈଠକରେ ସ୍ଥିର ହୋଇଥିଲା।
ସେହିପରି ନିର୍ବାଚନ ପୂର୍ବରୁ ୩୦ ହଜାର ସକ୍ରିୟ ସଭ୍ୟଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରତି ନିର୍ବାଚନ ମଣ୍ଡଳୀ ରୁ ୨୦୦ ଜଣ ନେବେ ତାଲିମ। ସପ୍ତାହକ ଭିତରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଦଳର ଛାମୁଆ ନେତା ଓ ମୁଖପାତ୍ର ମାନଙ୍କୁ ତାଲିମ ଦିଆଯିବ।
ସୂଚନାଯୋଗ୍ୟ ଯେ , ରାଜ୍ୟରେ ଆଗୁଆ ନିର୍ବାଚନ ହେବ ନା କେନ୍ଦ୍ର ସହ ଯିବେ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଅନ୍ୟପଟେ କଂଗ୍ରେସ କହିଛି ଦେଶ ରେ କି ରାଜ୍ୟ ରେ ଆଗୁଆ ନିର୍ବାଚନ ହେବ ନାହିଁ।