ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା କରିଛି ବିସିସିଆଇ। ପ୍ରଥମ ଦୁଇଟି ମ୍ୟାଚରୁ ବିରାଟ କୋହଲି ଏବଂ ରୋହିତଙ୍କୁ ବିଶ୍ରାମ ଦିଆଯାଇଛି। ଦଳର କମାନ କେଏଲ ରାହୁଲଙ୍କ ହାତରେ ରହିବ। ଦୀର୍ଘଦିନ ପରେ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଆର୍ ଅଶ୍ୱିନ। ତୃତୀୟ ଦିନିକିଆ ପାଇଁ ଅବଶ୍ୟ ରୋହିତ ଶର୍ମା, ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ବିଶ୍ୱକପ୍ ପୂର୍ବରୁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱକପ୍ ଆଗକୁ ଥିବାରୁ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚରୁ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେବା ନେଇ ବିସିସିଆଇ ନିଷ୍ପତ୍ତି କରିଛି।
ଏଥିସହିତ ଏହି କଥା ମଧ୍ୟ ସାମ୍ନାକୁ ଆସୁଛି ଯେ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ହୋଇପାରେ। ଅକ୍ଷର ପଟେଲ ଆହତ ଥିବା କାରଣରୁ ସିଲେକ୍ଟର୍ସଙ୍କୁ ରିପ୍ଲେସମେଣ୍ଟ ଉପରେ ବିରାଚ କରିବାକୁ ପଡ଼ୁଛି। ଆର୍ ଅଶ୍ୱିନ ଏବଂ ୱାଶିଂଟନ ସୁନ୍ଦରଙ୍କୁ ବିକଳ୍ପ ରୂପରେ ଦେଖାଯାଇଛି। ଏଥିପାଇଁ ଏହି ଦୁଇ ଖେଳାଳିଙ୍କୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଦଳରେ ସାମିଲ କରାଯାଇଛି। ଆଶା କରାଯାଉଛି ଯେ ଆର୍ ଅଶ୍ୱିନ ଏବଂ ସୁ୍ନ୍ଦରଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ୱକପ ଟିକେଟ ମିଳିପାରେ।