ସନଷ୍ଟାର ଟିଭି ବ୍ୟୁରୋ
ଭିଲ ଭାରତର ପ୍ରାଚୀନ ଜନଜାତି ଗୁଡିକ ମଧ୍ୟରୁ ଗୋଟିଏ । ଏହି ଜନଜାତିର ପ୍ରତ୍ୟେକ କାର୍ଯ୍ୟ ଶୁଭ ସଂସ୍କାରରୁ ଆରମ୍ଭ ହୋଇଥାଏ । ଛୋଟ କାମ ହେଉ ବା ବଡ ପାରମ୍ପରିକ ରୀତୀନୀତିରେ ସମସ୍ତ କାର୍ଯ୍ୟ କରାଯାଏ । ହେଲେ ଏବେ ସମୟ ବଦଳିବା ସହ ପୂର୍ବରୁ ଚାଲି ଆସୁଥିବା ପରମ୍ପରାରେ ବି ପରିବର୍ତ୍ତନ ଘଟିଛି । ହେଲେ ଜନ, ମୃତ୍ୟୁ, ବିବାହରେ ଏଭଳି ସଂସ୍କାର ରହିଛି ଯାହା ଏବେ ବି ସେମାନେ ପାଳନ କରିଆସୁଛନ୍ତି । ସେମାନଙ୍କ ସଂସ୍କୃତି ଉପରେ ତାଙ୍କର ଦୃଢ ବିଶ୍ୱାସ ଓ ଆସ୍ଥା ରହିଛି । ନିଜ ପରମ୍ପରାକୁ ଅତି ଉତ୍ସାହ ସହ ସେମାନେ ଅନୁସରଣ କରୁଛନ୍ତି ।
ମଣିଷ ଟିଏ ଜନ୍ମ ହେଲେ ସବୁଆଡେ ଖେଳିଯାଏ ଆନନ୍ଦର ଲହଡୀ । ସେହିଭଳି ଭିଲ ଜନଜାତିର ଲୋକ ମାନେ ମଧ୍ୟ ସେମାନଙ୍କ ପାରମ୍ପରିକ ରାତିନୀତିରେ ଖୁସୀ ମନାଇଥାନ୍ତି । ଭିଲ ରେ ପ୍ରସବକୁ ‘ଜାମ୍ପା’ କୁହାଯାଉଥିବାବେଳେ ଜନ୍ମକୁ ‘ଜଲମ’ କୁହାଯାଏ । ଏହି ଦୁଇ ଶବ୍ଦକୁ ମିଶାଇ ‘ଜଲମଜାମ୍ପା’ କହିବାର ପ୍ରଥା ମଧ୍ୟ ରହିଛି । ଏବେ ପର୍ଯ୍ୟନ୍ତ ବି ଜାମ୍ପା ଘରେ କରାଯାଏ । ପରେ ସୂର୍ଯ୍ୟ ପୂଜା କରି ଜନ୍ମୋତ୍ସବ ପାଇଁ ଗୋବରରେ ଦୁଆର ଲିପି ଚିତା ଆଙ୍କି, ଚିତା ଉପରେ ଚାଉଳ କିମ୍ବା ମକା ରଖାଯାଏ ତା’ ଉପରେ ନବଜାତ ଶିଶୁଙ୍କୁ ଶୁଆଇ ଦିଆଯାଏ । ଶିଶୁଟି ଯେଉଁ ଆଡକୁ କର ଲେଉଟାଇ ଥାଏ ତାହା ଦେଖି ଶୁଭ ଅଶୁଭ ଅନୁମାନ କରାଯାଏ । ପାଞ୍ଚ ଦିନରେ ସୁଧି ସଂସ୍କାର ହେବା ସହ ପ୍ରସୂତିଙ୍କର ସୂର୍ଯ୍ୟ ପୂଜା ହୋଇଥାଏ । ଛ’ ଦିନରେ ଛଟ୍ଟୀ ପୂଜା ସମୟରେ ମହିଳା ମାନେ ଗୀତ ଗାଇ ଆଶୀର୍ବାଦ ଦେଇଥାନ୍ତି । ଭିଲ ମାନେ ଝିଅ ଜନ୍ମକୁ ଅଧିକ ଶୁଭ ମାନନ୍ତି କାରଣ ଏଠାରେ ବଧୂମୂଲ୍ୟ ପ୍ରଥା ରହିଛି ।
ବାହାଘର ଭଳି ଖୁସିର ମାହୋଲ ଭିତରେ , ବିବାହରେ ପୁଅ ପାଇଁ ମୂଲ୍ୟ ଦେବାକୁ ପଡୁଥିବାବେଳେ ଝିଅ ପାଇଁ ମୂଲ୍ୟ ମିଳିଥାଏ । ଏହି ଜନଜାତିର କମଜୋର ଆର୍ଥିକ ସ୍ଥିତି କାରଣରୁ ପୁତ୍ର ଜନ୍ମ ସେମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟି ଥାଏ । ନିର୍ବନ୍ଧ ସମୟରେ ବର ପକ୍ଷରୁ ଆସିଥିବା ଶାଢୀ ଓ ଗହଣା ଝିଅକୁ ପିନ୍ଧାଇ ଦିଆଯାଏ । ପରେ ଦୁଇ ପକ୍ଷର ଲୋକ ବସି ବିବାହ ଦିନ ଓ ବର ପକ୍ଷ ଝିଅ ନେଇ ତା’ ବଦଳରେ କ’ଣ କ’ଣ ଦେବେ ତାହା ମଧ୍ୟ ସାମାଜିକ ସ୍ତରରେ ଆଲୋଚନା କରିଥାନ୍ତି । ବର ପକ୍ଷ କନ୍ୟା ପାଇଁ ବିଭିନ୍ନ ଗହଣା ଓ ବସ୍ତ୍ର ତା’ ସହିତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦେଇଥାନ୍ତି । ଝିଅ ବିବାହରେ ଗହଣା ଓ ବସ୍ତ୍ର ପିନ୍ଧେ ଏବଂ ସେହି ସାମଗ୍ରୀରେ ଖାଦ୍ୟ ପ୍ରସ୍ତୁତ କରି ବରଯାତ୍ରୀଙ୍କୁ ଆପାୟିତ କରାଯାଏ । ନିର୍ଦ୍ଧାରିତ ଯୌତୁକ ଯଦି ବର ପକ୍ଷଙ୍କୁ ଅଧିକ ଲାଗୁଥାଏ ତେବେ ସମସ୍ତ ଗ୍ରାମ ବାସୀ ଓ ବନ୍ଧୁ ମାନଙ୍କୁ ଡାକି ଅସୁବିଧା ଜଣାଯାଏ । ପରେ ସେମାନେ ତାଙ୍କ ସକ୍ଷ ଅନୁସାରେ କିଛି ସାହାଯ୍ୟ କରନ୍ତି । ବର ପକ୍ଷରୁ ୫ଜଣ ବ୍ୟକ୍ତି ନାଚି ଗାଇ ବାଦ୍ୟଯନ୍ତ୍ର ସହ କନ୍ୟା ଘରକୁ ଆସନ୍ତି । କନ୍ୟା ପକ୍ଷ ମଧ୍ୟ ବର ପକ୍ଷଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଦେଇଥାନ୍ତି ଯେପରି ଖାଇବା ପିଇବାରେ ବର ପକ୍ଷ ଅସୁବିଧାରେ ନ ପଡନ୍ତି ଏବଂ ଏହାର ଅନ୍ୟ ଉଦ୍ଦେଶ୍ୟଟି ହେଉଛି ସମ୍ପର୍କ ସୁଦୃଢ କରିବା । ବିବାହ ଦିନ ବର କନ୍ୟାଙ୍କୁ ଗାଧୋଇ ଦେବା ପରେ ଉଭୟଙ୍କ ଘରେ ବିଭିନ୍ନ ପୂଜା ଚାଲିଥାଏ । ଗାଁ ମୁଖିଆ ଓ ଘର ମୁଖିଆ ଉଭୟ ମିଶି ବର କନ୍ୟାଙ୍କ ଦ୍ୱାରା ସୂର୍ଯ୍ୟ, ଚନ୍ଦ୍ର, ୯ ଲକ୍ଷ ତାରା ଓ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଇଥାନ୍ତି । ଏହା ପରେ ହଳଦୀ ବିଧି ସାରି ସ୍ତ୍ରୀ, ପୁରୁଷ ନୃତ୍ୟ କରି ବିବାହ କାର୍ଯ୍ୟ ଆରମ୍ଭ କରିଥାନ୍ତି ।
ବର ବଧୂଙ୍କ ଘରେ ମୁଖ୍ୟ ରୀତି ଭାବେ ବିବାହ ମଣ୍ଡପ ନିର୍ମାଣ କରାଯାଏ । ଏହା ପରେ ବର ଓ କନ୍ୟାଙ୍କ ସାନଭାଇକ୍ୁ ବର ଭଳି ସଜାଇ ଦିଆଯାଏ । ଯଦି କେହି ସାନଭାଇ ନଥାନ୍ତି ତେବେ ସମାନ ଗୋତ୍ରର କୌଣସି ପୁଅକୁ ନେଇ ଏହି ପରମ୍ପରା ସମ୍ପନ୍ନ କରାଯାଏ । ଏହାକୁ ସମଗୋତ୍ର ସମ୍ବନ୍ଧୀୟ ପରମ୍ପରା କୁହାଯାଏ । ପରେ ବର କନ୍ୟା ଙ୍କୁ ଭଲ ଭାବରେ ସଜାଇ ଦିଆଯାଏ । ବର ବଧୂ ସମ୍ପୂର୍ଣ୍ଣ ସଜହେବା ପରେ ବରକୁ ‘ଲାଡାବିନା’ ଓ କନ୍ୟାକୁ ‘ଲାଡିବିନ’ କୁହାଯାଏ । ପୁଅର ମା’ ଓ ଅନ୍ୟ କିଛି ସ୍ତ୍ରୀ ଲୋକ ଚାଉଳ ପକାଇ ପୁଅକୁ ଗୃହସ୍ଥ ଜୀବନ ଆରମ୍ଭ କରିବାକୁ ଆଶୀର୍ବାଦ କରିଥାନ୍ତି । ବରଯାତ୍ରୀ ବାହାରିବା ପରେ ଗାଁ ସୀମାରେ ପୂଜା ପାଇଁ ରହି ଚାଉଳ , ନଡିଆ ପୂଜା କରି ବରଯାତ୍ରୀ ବାହାରିଯାନ୍ତି । ଏହି ପରମ୍ପରାକୁ ‘କାକଟ ପୂଜା’ କୁହାଯାଏ । ବରଯାତ୍ରୀ କନ୍ୟା ଗାଁରେ ପହଞ୍ଚିବା ପରେ ବିଶ୍ରାମ ପାଇଁ ସେମାନଙ୍କୁ କିଛି ସମୟ ଗାଁ ବାହାରେ ଅଟକାଇ ଅତିଥିସତ୍କାର ମଧ୍ୟ କରାଯାଏ । ବରଯାତ୍ରୀ ପହଞ୍ଚିବା ପରେ ଗୋଟେ ବ୍ୟାଗ କନ୍ୟା ପକ୍ଷକୁ ଦେଇଥାନ୍ତି । ସେଥିରେ ବିବାହରେ କନ୍ୟା ପିନ୍ଧିବା ପାଇଁ ବସ୍ତ୍ର ଓ ଗହଣା ଥାଏ । ବର ପକ୍ଷରୁ ଏହା ପ୍ରଥମ ଉପହାର ହୋଇଥାଏ । କନ୍ୟା ପକ୍ଷ ତାହାକୁ ସ୍ୱୀକାର କରିବା ଅର୍ଥ ବିବାହ ପାଇଁ ସ୍ୱୀକୃତି ପ୍ରଦାନ କରିବା । ବିବାହରେ ୭ଫେରା ନିଆଯିବା ପରମ୍ପରା ମାମୁଁଙ୍କ ଦ୍ୱାରା ସମ୍ପୂର୍ଣ୍ଣ କରାଯାଏ । ପରେ କନ୍ୟାଙ୍କ ମା’ ଫେରା ନେବାର ଅର୍ଥ କନ୍ୟାକୁ ବୁଝାଇଥାନ୍ତି । ଅନେକ କୁଆଁରୀ ଝିଅ କନ୍ୟା ପାଖରେ ଉପସ୍ଥିତ ରହି ଝିଅର ଭଲମନ୍ଦ ପ୍ରତି ନଜର ରଖିଥାନ୍ତି । ଏହାଛଡା ବରବଧୂଙ୍କ ମନୋରଞ୍ଜନ ପାଇଁ ନାଚ ଗୀତ କରନ୍ତି । ସେମାନଙ୍କୁ ‘କୁଆଁସୀ’ କୁହାଯାଏ । ସେମାନେ ବରକୁ ନେଇ କନ୍ୟା ସହ ଭେଟ କରେଇଥାନ୍ତି । ଏହି ଜନଜାତିରେ ବିବାହ ସମୟରେ ଉପହାର ଭାବରେ ପଶୁ ପକ୍ଷୀ ଦେବାର ରୀତିନୀତି ରହିଛି । ବରବଧୂଙ୍କ ସମ୍ପର୍କ ସୁଦୃଢ ଓ ନିବିଡ କରିବା ଉଦ୍ଦେଶ୍ୟରେ ଖେଳ ହୁଏ ଯେଉଁଥିରେ ମାଟି ଖୋଳି କିଛି ଲୁଚାଇ ଦିଆଯାଏ ଏବଂ ବରକନ୍ୟାଙ୍କୁ ଲୁଚାଯାଇଥିବା ବସ୍ତୁ ଖୋଜିବାକୁ କୁହାଯାଏ । ପରେ ଗୃହ ପ୍ରବେଶ ପୂର୍ବରୁ କନ୍ୟାକୁ ଘର ବାହାରେ ବସାଇ ବର ପକ୍ଷର ସ୍ତ୍ରୀ ଲୋକ ମାନେ ପୂଜା ଥାଳି, ପାଣି କଳସ ଆଣିଥାନ୍ତି ପରେ ଗୃହ ଦ୍ୱାରରେ ଥିବା ଅଳତା ଥାଳିରେ ନବବଧୂ ଡାହାଣ ପାଦ ରଖି ଗୃହ ପ୍ରବେଶ କରେ । ଧାନ କୁଟି ଚାଉଳ କରିବା ପରେ ନବବଧୂ ତାହା ରାନ୍ଧି ସମସ୍ତଙ୍କୁ ପରଷି ଥାଏ । ଏଠାରେ ବିବାହ ସଂସ୍କାର ସମାପ୍ତ ହୁଏ ।
ବିଧିର ଏକ ନିରାଟ ସତ୍ୟ ଜନ୍ମ ଅଛି ତ ମୃତ୍ୟୁ ସୁନିଶ୍ଚିନ୍ତ । ଭିଲ ଜନଜାତିରେ ମୃତ୍ୟୁ ପରେ ମୃତକଙ୍କ ପାଇଁ ଅନେକ ସଂସ୍କାର କରାଯାଏ । ଶବଯାତ୍ରାରେ ମୃତକଙ୍କ ସମ୍ପର୍କୀୟ ମହିଳା ଏକ ପୂରୁଣା ହାଣ୍ଡି ଧରି ପଛରେ ଯାଆନ୍ତି, ଗୋଟେ ଗଛ ପାଖରେ ଧୂପ ଦେଇ ପୂଜା କରି ପଞ୍ଚତତ୍ତ୍ୱ ପ୍ରତୀକ ଭାବେ ପାଞ୍ଚଟି ପଥର ରଖାଯାଏ । ଶ୍ମଶାନରେ ପହଞ୍ଚିବା ପରେ କାଠ ଗୁଡିକୁ ସଜାଡି ରଖାଯାଏ ଯେଭଳି ଗୋଟେ ଉପରେ ଆଉ ଗୋଟିଏ ରଖିଲେ ତାହା ପଡିବନି । ଅଟାର ଏକ ଗୁଳା ପ୍ରସ୍ତୁତ କରି ତାହାକୁ ମୃତକଙ୍କ ସାମ୍ନାରେ ଭୋଗ କରାଯାଏ । ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା ମୁଖାଗ୍ନି ଦିଆଯାଏ । ମୃତକ ଯଦି ସ୍ତ୍ରୀ ହୋଇଥାଏ ତେବେ ୧୩ ଦିନ ଯଦି ପୁରୁଷ ହୋଇଥାଏ ତେବେ ୧୨ ଦିନରେ ସମ୍ପର୍କୀୟଙ୍କୁ ଭୋଜନ ଦିଆଯାଇଥାଏ । ଘାଟା-ମୋଶର ପରମ୍ପରା ଦୁଇ ଦିନ ହୁଏ , ପ୍ରଥମ ଦିନ ଘାଟା ଓ ଦ୍ୱିତୀୟ ଦିନ ମୋଶର । ଘାଟା ଆତ୍ମାର ଶାନ୍ତି ଓ ମୁକ୍ତି ପାଇଁ କିଛି ଆନୁଷ୍ଟାନିକ କାର୍ଯ୍ୟ, ଯାହା କୌଣସି ନଦୀ ଘାଟରେ ହୋଇଥାଏ । ଦ୍ୱିତୀୟ ଦିନ ମୋଶର, ସମ୍ପର୍କୀୟଙ୍କ ପାଇଁ ସାମୁହିକ ଭୋଜନ ଆୟୋଜନ ହୋଇଥାଏ । ପରମ୍ପରା ଅନୁସାରେ ଏହା ପରେ ସେମାନେ ମାଂସ ଓ ନିଶା ଦ୍ରବ୍ୟ ବ୍ୟବହାର କରିପାରିବେ । ସମ୍ପର୍କୀୟ ମଧ୍ୟ ସାମୁହିକ ଭୋଜନ ପାଇଁ ସାମର୍ଥ୍ୟ ଅନୁସାରେ ଅର୍ଥ ବା ଯେକୌଣସି ବସ୍ତୁ ଦେଇଥାନ୍ତି । ଏହି ଜନଜାତିରେ ଶ୍ରାଦ୍ଧ ଦେବାର ପରମ୍ପରା ମଧ୍ୟ ରହିଛି । ଶ୍ରାଦ୍ଧ ରେ ଦିଆ ଯାଉଥିବା ଭୋଜକୁ ‘ କରଟୱା ବରହନାଡ’ କୁହାଯାଏ ।
ଭିଲ ଜନଜାତିର ଲୋକ ମାନେ ସେମାନଙ୍କ ପରମ୍ପରା ପ୍ରତି ବେଶ ସଜାଗ । ବର୍ଷ ବର୍ଷ ଧରି ଚାଲି ଆସୁଥିବା ରୀତିନୀତିକୁ ଆଜି ବି ସେମାନେ ଅତି ଉତ୍ସାହର ସହ ପାଳନ କରୁଛନ୍ତି ।