ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଏଣିକି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଲାଗି ନିୟୋଜିତ ହେବେ ସ୍ୱତନ୍ତ୍ର ସ୍କ୍ୱାଡ । ଜେଡ ପ୍ଳସ ସୁରକ୍ଷା ଉପରୁ ଉଠିଲା ଭରସା । ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ରହିଛି ସ୍ୱତନ୍ତ୍ର ସୁରକ୍ଷା ବାହିନୀ । ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ପାଇଁ ଜେଡ ପ୍ଳସ ସୁରକ୍ଷା ବ୍ୟବସ୍ଥା ରହିଛି । ହେଲେ ନିକଟରେ ଜଣେ ସୁରକ୍ଷା କର୍ମୀ ତତକାଳୀନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଅଧିକ ସଂଗଠିତ କରିବା ନେଇ ଏହି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଗୃହ ବିଭାଗ ଏହି ଘଟଣାକୁ ତର୍ଜମା କରି ସ୍ୱତନ୍ତ୍ର ସୁରକ୍ଷା ବଳଗଠନ ପାଇଁ ପ୍ରସ୍ତାବକୁ ସ୍ୱିକୃତୀ ଦେଇଛନ୍ତି ।
ତେବେ ୯୧ଜଣ ସ୍ୱତନ୍ତ୍ର ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ହେବେ । ନିଜ ଭିତରେ ହେଉଥିବା ଷଡଯନ୍ତ୍ର, ଅନ୍ତର୍ଘାତୀ କାର୍ଯ୍ୟ ତଥା ସମ୍ଭାବ୍ୟ ଆକ୍ରମଣକୁ ରୋକିବା ଲାଗି ଏହି ସ୍ୱତନ୍ତ୍ର ପୋଲିସ ସ୍କ୍ୱାଡ କାର୍ଯ୍ୟ କରିବ । ଏହି ନୂଆ ସୁରକ୍ଷା ବାହିନୀରେ ୨୬ଟି ବିଭିନ୍ନ ବର୍ଗର ଅଧିକାରୀ ରହିବେ । ସେପ୍ଟେମ୍ବର ୧୪ରେ ପ୍ରକାଶିତ ଆଦେଶ ଅନୁସାରେ, ଦୁଇ ଜଣ ଡେପୁଟି କମାଣ୍ଡାଣ୍ଟ, ଇନସପେକ୍ଟର, ସବଇନସପେକ୍ଟର, ଆସିଷ୍ଟାଣ୍ଟ ସବଇନସପେକ୍ଟର ରହିବେ । ଏ ସମସ୍ତ ସଶସ୍ତ୍ର ମୁତ୍ତୟନ ହେବେ । ଏହାଙ୍କ ତଳେ ରହିବେ ହାବିଲଦାର, ଡ୍ରାଇଭର ଓ କନଷ୍ଟେବଳ । ଏହି ଦଳର ସମସ୍ତ ସଦସ୍ୟଙ୍କୁ ଅନ୍ତର୍ଘାତୀ କାର୍ଯ୍ୟକୁ ଠାବ କରିବା ତାହାକୁ ରୋକିବା ଦିଗରେ ଅତ୍ୟାଧୁନିକ ଟ୍ରେନିଂ ଦିଆଯିବ । ତାଙ୍କ ପାଖରେ ବୋମା ନିଷ୍କ୍ରିୟକାଳୀ କୌଶଳ ରହିବା ସହିତ ଏକ କୁକୁର ଦଳ ବି କାର୍ଯ୍ୟ କରିବ । ଏଭଳି ପଦକ୍ଷେପ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନେଇ ରାଜ୍ୟ ପୋଲିସର ପ୍ରତିଦିନ ସମସ୍ୟା ଲାଘବ ହୋଇପାରିବ ବୋଲି ଆଶା କରାଯାଇଛି ।