ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜିଠୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ଆଗକୁ ୫ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ନେଇ ଚାଲିଛି ଅନେକ କଳ୍ପନା ଜଳ୍ପନା । ଆଜି ଅଧିବେଶନ ସଂସଦର ପୁରୁଣା ଭବନରେ ଆରମ୍ଭ ହୋଇ ୧୯ ତାରିଖରୁ ସଂସଦର ନୂଆ ଭବନରେ ଚାଲିବ । ଏହି ଅଧିବେଶନ କାଳରେ ୪ଟି ବିଧେୟକ ଆଗତ କରାଯିବା ଲାଗି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।
ବିରୋଧୀ ଦଳ ଅଭିଯୋଗ କରିଛି ଯେ ସରକାର ଏହି ଅଧିବେଶନ ଲାଗି ଏଜେଣ୍ଡା ଘୋଷଣା ନକରି ଏହାକୁ ଗୋପନ ରଖିଛନ୍ତି । ଅନ୍ୟପଟେ ସଂସଦର ସ୍ୱତନ୍ତ୍ର ଅଧିବେଶନ ନିମନ୍ତେ ସରକାରଙ୍କ ପକ୍ଷରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ପକ୍ଷରୁ ଆହୁତ ସର୍ବଦଳୀୟ ବୈଠକରେ ମନ୍ତ୍ରୀ ରାଜନାଥ ସିଂହ, ପୀୟୁଷ ଗୋୟଲ ପ୍ରମୁଖ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ସଂସଦର ସ୍ୱତନ୍ତ୍ର ଅଧିବେଶନ କାଳରେ ସେପ୍ଟେମ୍ବର ୧୯ ତାରିଖ ସକାଳ ୯ଟା ୩୦ମିନିଟରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କର ଗ୍ରୁପ ଫଟୋ ଉଠାଯିବ । ଏଥିପାଇଁ ସମସ୍ତ ସଦସ୍ୟଙ୍କ ସୂଚନା ପ୍ରଦାନ କରାଯିବା ସହିତ ଉପସ୍ଥିତ ରହିବାକୁ କୁହାଯାଇଛି । ନୂଆ ସଂସଦ ଭବନରେ ପ୍ରବେଶ ନିମନ୍ତେ ସମସ୍ତ ସଦସ୍ୟଙ୍କୁ ନୂଆ ପରିଚୟପତ୍ର ପ୍ରଦାନ କରାଯାଇଛି । ନୂଆ ସଂସଦ ଭବନରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ ରବିବାର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସେହିପରି ଲୋକସଭା ବାଚସ୍ପତି ଓମ ବିର୍ଲା ନୂଆ ସଂସଦ ଭବନରେ ଗଜ ଦ୍ୱାର ଉପରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।