ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଖୋଲୁଛି ଗୋଟେ ପରେ ଗୋଟେ ଗୁମର… ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାଁରେ ହେଉଛି ଅଭିଯୋଗ । ବ୍ୟାଙ୍କ ଜାଲିଆତି, କର୍ମଚାରୀଙ୍କୁ ଶୋଷଣ, କର୍ମଚାରୀଙ୍କୁ ଧମକ ଭଳି ସଙ୍ଗୀନ ଅଭିଯୋଗ ଆସିଛି ତାଙ୍କ ବିରୋଧରେ । ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ ଲିମିଟେଡ ସଂସ୍ଥାର ମାନବ ସମ୍ବଳ ମୁଖ୍ୟ ବୈଜୟନ୍ତୀ କରଙ୍କୁ ହାତବାରିସି କରି ଦୀର୍ଘ ୨୫ ବର୍ଷ ଧରି ସୌମ୍ୟ ଏହି ଘୋଟାଲା କରୁଥିବା ଜଣାପଡିଛି । ସୌମ୍ୟ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ କେହି ମୁହଁ ଖୋଲୁନଥିଲେ । ହେଲେ ଦୁଇଦିନ ତଳେ ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖାରେ ଅଭିଯୋଗ କରିବା ପରେ ଘଟଣା ସବୁ ପଦାରେ ପଡିଲା ।
ଇଷ୍ଟର୍ଣ୍ଣ ମିଡିଆର ବ୍ୟାଙ୍କ ଘୋଟାଲାରେ ସମ୍ବାଦ ଅଫିସରେ ଇଓଡବ୍ଲୁର ଚଢାଉ । ଏଚଆର ମୁଖ୍ୟ ବୈଜୟନ୍ତୀ କରଙ୍କୁ ନୋଟିସ ହୋଇଥିଲେ ସୁଦ୍ଧା ସେ ଉପସ୍ଥିତ ନଥିଲେ । ବେଆଇନ ଋଣ ଉଠାଇବାରେ ମୁଖ୍ୟ କର୍ପଟଦାର ଥିଲେ ବୈଜୟନ୍ତୀ । କର୍ମଚାରୀଙ୍କୁ ଲୋନ ଦେବା ପାଇଁ ଇଷ୍ଟର୍ଣ୍ଣ ମିଡିଆ ମାନବ ସମ୍ବଳ ବିଭାଗର ଅଧିକାରୀ ଶ୍ରାମତି ବୈଜୟନ୍ତୀ କର ବାଧ୍ୟ କରିବା ସହ ଚାକିରି ନେଇଯିବାର ଧମକ ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଅଛି । ଏଥିରେ ମାନବ ସମ୍ବଳ ବିଭାଗ ଓ ବିତ୍ତ ବିଭାଗର କିଛି କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗପତ୍ରରେ ସ୍ପଷ୍ଟ ଉଲ୍ଲେଖ ହୋଇଛି । ସେଠାରେ ୧୨ ଜଣିଆ ଟିମ ରେଡ କରୁଥିବା ବେଳେ ଅନେକ ତଥ୍ୟ ହାତରେ ଲାଗିବ ବୋଲି ଆଶଙ୍କା ରହିଛି । ତେବେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ କରାଯାଇଛି ବୋଲି ସୂଚନା ରହିଛି । ଏହି ୧୨ ଜଣିଆ ଟିମରେ ୪ଜଣ ଡିଏସପି , ୬ଜଣ ଇନସପେକ୍ଟରଙ୍କ ସହ ସହିଦନଗର ଥାନା ପୋଲିସ ସାମିଲ ଅଛି ।