ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : କରୋନାଠୁ ଅଧିକ ଘାତକ ନିପା ଭାଇରସ। ଆଇସିଏମଆର ଜାରି କରିଥିବା ରିପୋର୍ଟରୁ ଏହା ଜଣାପଡିଛି। କରୋନାର ମୃତ୍ୟୁ ହାର ୨ରୁ ୩ ପ୍ରତିଶତ ରହିଥିବା ବେଳେ ନିପାର ମୃତ୍ୟ ହାର ୪୦ରୁ ୭୦ ପ୍ରତିଶତ ରହିଛି। ଏବେ କେରଳରେ ଏହି ନିପା ଆତଙ୍କ ଦେଖାଦେଇଛି। ନିପା ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଛି। ୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଦୁଇଜଣ ରୋଗୀଙ୍କ ନିପାରେ ମୃତ୍ୟୁ ଘଟିସାରିଛି।
କେରଳର କୋଝିକୋଡ ଜିଲ୍ଲା ଏହି ଭାଇରସ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି। କେରଳରେ ନିପା ଭାଇରସ ବ୍ୟାପୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛି। ଏକ କେନ୍ଦ୍ରୀୟ ଟିମ୍ ଆସି ପ୍ରଭାବିତ ଜିଲ୍ଲା ବୁଲି ସମୀକ୍ଷା କରୁଛି। କେରଳର ସ୍ଥିତି ଦେଖି କର୍ଣ୍ଣାଟକ, ତାମିଲନାଡୁ ଓ ରାଜସ୍ଥାନରେ ହାଇଆଲର୍ଟ ଜାରି ହୋଇଛି। ଏବେ କେରଳରେ ସ୍ଥିତିର ମୁକାବିଲା ପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଏକ ବାୟୋସଫେଟି ଲେଭଲ୍ -୩ କଂଟେନମେଂଟ ମୋବାଇଲ୍ ଲାବୋରେଟୋରୀ ପ୍ରସ୍ତୁତ କରିଛି। ଯାହା ଜିଲ୍ଲା ସ୍ତରରେ ଏହି ସଂକ୍ରମଣର ମୁକାବିଲା କରିବାରେ ସହାୟକ ହେବ।
କେରଳରେ ସ୍କୁଲ ଓ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଝିକୋଡରେ ପ୍ରଭାବିତ ଗ୍ରାମ ପଂଚାୟତକୁ ଏକ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି। ଏଯାବତ ଚିହ୍ନଟ ହୋଇଥିବା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ହଜାରେରୁ ଅଧିକ ଜଣଙ୍କୁ ଚିହ୍ନଟ କରାଯାଇଛି। ୨୦୧୮ ପରଠାରୁ ଏହା ଚତୁର୍ଥ ଥର ପାଇଁ କେରଳରେ ନିପା ସଂକ୍ରମଣ ବୃଦ୍ଧି ପାଇଛି।