ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ସମୃଦ୍ଧ ଓଡିଶାର ମାର୍ଗ ଉନ୍ମୁକ୍ତ କରିବ ସାର୍ବଜନୀନ ପରିବହନ ବ୍ୟବସ୍ଥା । ଗ୍ରାମାଞ୍ଚଳରୁ ସହରକୁ ଗଡିବ ‘ଲକ୍ଷ୍ମୀ ଏକ୍ସପ୍ରେସ’ । ଏହା ମହିଳା ସଶକ୍ତିକରଣକୁ ବଳ ମଧ୍ୟ ଯୋଗାଇବ । ଲାକମୀ / ଲକ୍ଷ୍ମୀ ଯୋଜନା ପାଇଁ ୩୧୭୮ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ତିନି ବର୍ଷ ପାଇଁ ଏହି ଯୋଜନା କରାଯାଇଛି । ରାଜଧାନୀ ଓ ଶ୍ରୀକ୍ଷେତ୍ର ସହିତ ଗାଁକୁ ଯୋଡିବ ଜଗନ୍ନାଥ ଏକ୍ସପ୍ରେସ । ପଞ୍ଚାୟତରୁ ବ୍ଲକ, ଜିଲ୍ଲା ମୁଖ୍ୟାଳୟ ଓ ରାଜଧାନୀକୁ ଯାତାୟତ ବ୍ୟବସ୍ଥା, ସିଲିକନ ଓ ନିଷ୍ଟ ମହାବିଦ୍ୟାଳୟକୁ ମିଳିବ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା, ପେନସନ ବ୍ୟବସ୍ଥାର ସରଳୀକରଣ ନିମନ୍ତେ ନିୟମ ସଂଶୋଧିତ, କାର୍ଯ୍ୟକାରୀ ହେବ ଓଡିଶା ଭୂସଂସ୍କାର ସଂଶୋଧିତ ଆଇନ, ଅଣକୃଷି ଉଦ୍ଦେଶ୍ୟରେ ଜମିର କିସମ ପରିବର୍ତ୍ତନ ପାଇଁ ୧% ଦାୟୀ । ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଅଧୀନରେ ଭୂତଳ ପାଇପ ଜଳଯୋଗାଣ ପାଇଁ କ୍ୟାବିନେଟରେ ₹୧୬୦.୭୭ କୋଟିର ଟେଣ୍ଡର ଅନୁମୋଦନ ହୋଇଛି। ୨୪ ମାସ ମଧ୍ୟରେ କାର୍ୟ୍ୟକ୍ଷମ ହେବାକୁଥିବା ଏହି ପ୍ରକଳ୍ପ ଗଞ୍ଜାମ ଜିଲ୍ଲାର ୨,୭୬୦ ହେକ୍ଟର ଚାଷଜମିକୁ ଜଳ ଯୋଗାଇବ ।‘ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ\’ ଯୋଜନାରେ ନବରଙ୍ଗପୁରର ତୁରୀ ଓ ଗୁଣ୍ଟା ନଦୀ ଉପରେ ଗୋଟିଏ ଲେଖାଏଁ ଆନିକଟ ନିର୍ମାଣ ପ୍ରକଳ୍ପକୁ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୯,୧୩୫ ହେକ୍ଟର ଚାଷ ଜମି ଜଳସେଚିତ ହେବା ସହ ୧୦,୦୦୦ରୁ ଅଧିକ ଜନସାଧାରଣ ପାନୀୟଜଳ ସୁବିଧା । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଆହୁରି ବଳିଷ୍ଠ ହେବ କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା। ବୁଢ଼ାବଳଙ୍ଗ ନଦୀରେ ଏକ ଆନିକଟ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ପାଇଁ ₹୧୨୬.୯୬ କୋଟି ବ୍ୟୟବରାଦ ହୋଇଥିବାବେଳେ ଉଭୟ ଜିଲ୍ଲାର ୭,୩୦୦ ହେକ୍ଟର ଚାଷ ଜମି ଜଳସେଚିତ ହେବ। \’ବନ୍ଧ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉନ୍ନତିକରଣ ଯୋଜନା\’ ଅନୁମୋଦିତ ହୋଇଛି। ଏହି ଯୋଜନାରେ ୫୦୩ଟି ପ୍ରକଳ୍ପ ଅଧୀନରେ ୧୬,୪୦୦ ହେକ୍ଟର ସେଚାଞ୍ଚଳର ପୁନରୁଦ୍ଧାର କରିବା ପାଇଁ ₹୨୪୮ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର। ଭୂତଳ ପାଇପ ଜଳସେଚନ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ଜଳସେଚନ ପ୍ରକଳ୍ପର ସେଚ କ୍ଷମତା ବୃଦ୍ଧି ଓ ଜଳର ସୁଷମ ବଣ୍ଟନ ପାଇଁ ₹୧୬୨.୯୧ କୋଟିର ଟେଣ୍ଡରକୁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି। ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ୫,୧୮୦ ହେକ୍ଟର ଜମିକୁ ଏହା ଜଳ ଯୋଗାଇବାକୁଥିବା ବେଳେ ଭୂତଳ ଜଳର ପୁନଃଭରଣ କରିବା ସହ ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିରେ ମଧ୍ୟ ସହାୟକ ହେବ।