ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ । ଏଥିପାଇଁ ଝାରସୁଗୁଡା ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଝାରସୁଗୁଡା ବିମାନ ବନ୍ଦରକୁ ପୋଲିସ ଓ ସେନା କର୍ମଚାରୀ ଘେରି ରହିଥିବା ବେଳେ ସନ୍ଧାନୀ କୁକୁର ଦ୍ୱାରା ଯାଞ୍ଚ କରାଯାଉଛି । ଝାରସୁଗୁଡା ଜିଲ୍ଲାପାଳ, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ବିମାନ ବନ୍ଦରରେ ଉପସ୍ଥିତ ଥିବା ବେଳେ ସେନାର ୩ଟି ହେଲିକପ୍ଟର ବି ପହଞ୍ଚି ସାରିଛି ।
ଓଡିଶା ଓ ଛତିଶଗଡରେ ଲଗାଣ ବର୍ଷା ଜାରି ରହିଛି । ଆଜି ପ୍ରଧାନମନ୍ତ୍ରୀଙ୍କର ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଏବେ ମଧ୍ୟପ୍ରଦେଶରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୋଦି । ଏହା ପରେ ଛତିଶଗଡ ଆସିବା ସମୟରେ ଯଦି କୌଣସି ପ୍ରତିକୂଳ ପାଗ ଥାଏ, ତେବେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ ହୋଇପାରେ ବୋଲି କୁହାଯାଉଛି ।