ସନଷ୍ଟାର ଟିଭି ବ୍ୟୁରୋ
ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବଡ଼ ଧରଣର ଏନକାଉଣ୍ଟର। ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର ପୁଲିସ୍ର ଜଣେ ଡିଏସ୍ପି ସହିଦ ହୋଇଛନ୍ତି। ଆଉ କିଛି ଯବାନ ଓ ପୋଲିସ୍ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ଏବେ ବି ଘଟଣା ସ୍ଥଳରେ ଘମାଘୋଟ ଗୁଳି ବିନିମୟ ଜାରି ରହିଛି । ଅନନ୍ତନାଗର କୋକେରନାଗ ଅଞ୍ଚଳରେ କିଛି ଆତଙ୍କ ଲୁଚି ଥିବା ବେଳେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେନା ଓ ପୋଲିସ୍ ପକ୍ଷରୁ ମିଳିତ ଭାବେ ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ଏଥିରେ ଆର୍ମିର ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର ମନପ୍ରୀତ ସିଂହ, କମ୍ପାନୀ କମାଣ୍ଡର ଆଶିଷ ଧୋନଚାକ ଓ ଜମ୍ମୁ-କଶ୍ମୀର ପୁଲିସ୍ର ଡିଏସ୍ପି ହ୍ୟୁମାନ୍ୟୁ ସହିଦ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ସହ ଗୁଳି ବିନିମୟ ଜାରି ରହିଛି। ଘଟଣା ସ୍ଥଳକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ଆର୍ମିର ୧୫ କ୍ରପ୍ସ କମାଣ୍ଡର ଓ ଜମ୍ମୁ-କଶ୍ମୀର ପୋଲିସ୍ର ଡିଜି ଦିଲବାଗ ସିଂହଙ୍କ ବହୁ ବରିଷ୍ଠ ଅଧିକାରୀ ଏନକାଉଣ୍ଟର ସ୍ଥଳକୁ ଯାଇଛନ୍ତି। ଘଟଣା ସ୍ଥଳରୁ ୩ ବରିଷ୍ଠ ସୁରକ୍ଷାକର୍ମୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ଏନକାଉଣ୍ଟରର ୨୪ ଘଣ୍ଟା ପୂର୍ବରୁ ଜମ୍ମୁ-କଶ୍ମୀର ରଜୌରୀ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ।