ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବଢିଲା ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ । ସୌରିନଙ୍କ ବିରୁଦ୍ଧରେ ଲୁକଆଉଟ ସର୍କୁଲାର ଜାରି କଲା କମିଶନରେଟ ପୋଲିସ । ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରେ ଖୋଜି ନ ପାଇବା ପରେ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି ।
କଟକ ଜଗତପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବଳିଉଡ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ଯୁବତୀଙ୍କ ସହ ସମ୍ପର୍କ ଯୋଡି ଥିଲେ । କେବଳ ଶାରୀରିକ ସମ୍ପର୍କ ନୁହେଁ ଯୁବତୀଙ୍କ ଠାରୁ ଟଙ୍କା ନେବା ମଧ୍ୟ ଅଭିଯୋଗ ହୋଇଥିଲା । ଗତ ଜୁନ ୨୧ରେ କୋଲକାତାର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ପୋଲିସ ଚଢାଉ କରିଥିଲେ ବି କୌଣସି ଖୋଜଖବର ମିଳିନଥିଲା । ପରେ ଗିରଫ ଭୟରେ ସୌରିନ ଭଟ୍ଟ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ସୌରିନଙ୍କୁ ପୋଲିସକୁ ସହଯୋଗ କରିବାକୁ ନିର୍ଦ୍ଦେଷ ଦେଇଥିଲେ । କିନ୍ତୁ ସହଯୋଗ ପରିବର୍ତ୍ତେ ଫେରାର ହୋଇଯାଇଛନ୍ତି ସୌରିନ । ଏନେଇ ସୌରିନଙ୍କ ବିରୁଦ୍ଧରେ ଲୁକଆଉଟ ସର୍କୁଲାର ଜାରି ହୋଇଛି।