ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡ଼ିଶାରେ ଉଦବେଗଜନକ ଭାବେ ବଢ଼ିଚାଲିଛି ଆତ୍ମହତ୍ୟା ହାର। ସାରା ଦେଶରେ ଏହା ୧୨ ପ୍ରତିଶତ ଥିବାବେଳେ ଜାତୀୟ ହାରକୁ ଟପି ଓଡିଶାରେ ରହିଛି ୧୨.୩ ପ୍ରତିଶତ। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ଦଶଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଅର୍ଥାତ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ପ୍ରାଣ ହରାଉଥିବାବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ।
ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ-NCRBର ସର୍ବଶେଷ ତଥ୍ୟ ଅନୁସାରେ ୨୦୨୧ରେ ଭାରତରେ ୧ ଲକ୍ଷ ୬୪ ହଜାର ଲୋକ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି। ତା’ମଧ୍ୟରେ ଜାତୀୟ ହାର ଠାରୁ ଓଡ଼ିଶାରେ ଆତ୍ମହତ୍ୟା ହାର ଅଧିକ ରହୁଛି। ସାରା ଦେଶରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୩.୪% ଲୋକ ହେଉଛନ୍ତି ଓଡ଼ିଶାର। ପୂର୍ବ ବର୍ଷ ତୁଳନାରେ ୨୦୨୧ରେ ଓଡ଼ିଶାରେ ଆତ୍ମହତ୍ୟା ସଂଖ୍ୟା ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ପାରିବାରିକ କଳହ ଯୋଗୁଁ ୭୧% ଲୋକ ଆତ୍ମହତ୍ୟା କରୁଛନ୍ତି ଓଡ଼ିଶାରେ। ଆଜିର ଦିନଟିକୁ ସାରା ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରୁଥିବାବେଳେ ବଢୁଥିବା ଏଭଳି ଆତ୍ମହତ୍ୟାଜନିତ ମାମଲାକୁ ନେଇ ଉଦବେଗ ପ୍ରକାଶ ପାଇଛି।