ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଦିଗରେ ରାଜ୍ୟ ସରକାର ସହାୟତାର ହାତ ବଢାଇଛନ୍ତି । ଅନେକ ବରିଷ୍ଠ ନାଗରିକ ପରିବାର ଠାରୁ ଅଲଗା ରହୁଛନ୍ତି । ସେମାନଙ୍କ ଭରଣପୋଷଣ ଓ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଏହା ରାଜ୍ୟ ସରକାରଙ୍କର ଭିନ୍ନ ଏକ ପ୍ରଚେଷ୍ଠା । ବରିଷ୍ଠ ନାଗରିକଙ୍କ କଲ୍ୟାଣ ଲକ୍ଷ୍ୟରେ ଗଠନ ହୋଇଥିବା ବରିଷ୍ଠ ନାଗରିକ ସଂଘ ଏବଂ ଏହି ବର୍ଗର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ‘ଅବଦାନ’ ଯୋଜନା ଅଧୀନରେ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ।
ଏହି ଅର୍ଥରେ ସେମାନେ ନିଜ ସମସ୍ୟାମାନଙ୍କ ସମାଧାନ ଦିଗରେ ମିଳିତ ପ୍ରୟାସ କରିବେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ପୃକ୍ତ ସଂଘକୁ ଏକକାଳୀନ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥି ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ଥିବା ପଞ୍ଜିକୃତ ବୃଦ୍ଧ ସଂଘ, ବରିଷ୍ଠ ନାଗରିକ ସଂଘ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିବରଣୀ ପ୍ରଦାନ କରିବା ଲାଗି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।