ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଚନ୍ଦ୍ରରେ ରାତି ଆସିବା ପୂର୍ବରୁ ରୋଭର ପ୍ରଜ୍ଞାନକୁ ଶୁଆଇଦେଲା ଇସ୍ରୋ । ରୋଭରରେ ଥିବା ପେଲୋଡକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଚନ୍ଦ୍ରଯାନ ୩ ମିଶନର ରୋଭର ପ୍ରଜ୍ଞାନ ତାର ସମସ୍ତ କାର୍ଯ୍ୟ ସଂପାଦନ କରିଥିବା ଇସ୍ରୋ ସୂଚନା ଦେଇଛି । ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁ ଯେଉଁଠାରେ ଲ୍ୟାଣ୍ଡର ଓ ରୋଭର ଅଛନ୍ତି ସେଠାରେ ଆଜିଠାରୁ ରାତି ଆରମ୍ଭ ହେବ ।
ତେଣୁ ଏହା ପୂର୍ବରୁ ରୋଭରକୁ ସୁରକ୍ଷିତ ସ୍ଥାନରେ ପାର୍କ କରିବା ପରେ ସ୍ଲିପ୍ ମୋଡରେ ରଖାଯାଇଛି । ଏହା ସହ ରୋଭରରେ ଥିବା ବ୍ୟାଟେରୀ ଫୁଲ୍ ଚାର୍ଜ ଥିବା ମଧ୍ୟ ସୂଚନା ଦେଇଛି ଇସ୍ରୋ । ତେବେ ରୋଭରରେ ଥିବା ସୋଲାର ପ୍ୟାନେଲ ଆସନ୍ତା ସୂର୍ଯ୍ୟୋଦୟ ଅର୍ଥାତ ୨୨ ତାରିଖରେ ସୂର୍ଯ୍ୟାଲୋକ ପାଇବ ବୋଲି ଆକଳନ କରାଯାଇଛି । ଆଜିଠାରୁ ଦକ୍ଷିଣ ମେରୁରେ ରାତି ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଅନ୍ଧକାର ରହିବ ।
୨୬ କେଜି ଓଜନ ଓ ୬ ଚକ ବିଶିଷ୍ଟ ରୋଭର ଚନ୍ଦ୍ର ପୃଷ୍ଠରେ ଶହେ ମିଟର ଗଡ଼ିବା ସହ ମାଟି ପରୀକ୍ଷା କରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛି । ଚନ୍ଦ୍ରରେ ସଲଫର, ସିଲିକନ, କ୍ୟାଲସିୟମ, ଆଇରନ ଥିବା ସୂଚନା ଦେଇଛି ଚନ୍ଦ୍ରଯାନ ୩ ।