ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁରାତନ ଛାତ୍ର ସଂଘର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୩ ତାରିଖରେ ହେବ । ଏକ ବିବୃତ୍ତିରେ ଛାତ୍ର ସଂଘର ସଭାପତି ଦେବେନ୍ଦ୍ର ପ୍ରସାଦ ଦାସ ଏବଂ ସମ୍ପାଦକ ପ୍ରଫେସର ଅଶୋକ ଦାସ ଜଣାଇଛନ୍ତି ଯେ, ରବିବାର ପୂର୍ବାହ୍ନ ୭.୪୫ ମିନିଟରେ ବାଣୀବିହାର ପରିସରରେ ପୁରାତନ ଓ ବର୍ତ୍ତମାନର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପରିମଳ ପଦଯାତ୍ରା “ସ୍ୱଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ” ଆୟୋଜନ କରାଯାଇଛି ।
ପରେ ଅପରାହ୍ନ ତିନିଟାରୁ ଦୁଇଟି ପର୍ଯ୍ୟାୟରେ ବାଣୀବିହାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ବାର୍ଷିକ ଉତ୍ସବ ଆରମ୍ଭ ହେବ । ପୁରାତନ ଛାତ୍ରସଂଘର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ପୁରାତନ ଛାତ୍ରଛାତ୍ରୀମାନେ ପରାମର୍ଶ ଦେବା ସହ ପୂର୍ବରୁ ଅନୁଷ୍ଟିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କେତେ ଜଣ ବିଶିଷ୍ଟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଏବଂ କୁଳସଚିବଙ୍କ ସହ ଅନ୍ୟାନ୍ୟ ବରିଷ୍ଟ ଅଧିକାରୀ ମାନେ ମଧ୍ୟ ଯୋଗଦାନ କରିବେ ।