ସନଷ୍ଟାର ଟିଭି ବ୍ୟୁରୋ
କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଇଷ୍ଟ ହଷ୍ଟେଲ ଅନ୍ତେବାସୀଙ୍କ ଧାରଣା ଓ ପ୍ରତିବାଦ ଜାରି ରହିଛି । ହଷ୍ଟେଲ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରି ୭ଜଣ ଛାତ୍ର ନିଲମ୍ବିତ ହେବା ଘଟଣାକୁ ବିରୋଧ କରି ଏହି ପ୍ରତିବାଦ କରାଯାଉଛି । ସେମାନଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି । ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏପରି ପ୍ରତିବାଦ ସହ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି।
ଏତଦବ୍ୟତୀତ କର୍ତ୍ତୃପକ୍ଷ ପ୍ରତିବାଦକୁ ରୋକିବାର ଶତଚେଷ୍ଟା କରୁଛନ୍ତି ବୋଲି ଧାରଣାରତ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଖାଲି ଏତିକି ନୁହେଁ ଅଭିଯୋଗ ଏହା ମଧ୍ୟ ରହିଛି ଯେ, କାରଣ ନ ଦର୍ଶାଇ ୭ଜଣ ଛାତ୍ରଙ୍କୁ ନିଲମ୍ବନ କରାଯାଇଛି ଏବଂ ଗଣମାଧ୍ୟମ ସମ୍ମୁଖରେ କର୍ତ୍ତୃପକ୍ଷ ଗଣ୍ଡଗୋଳର ସଫେଇ ଦେଇଛନ୍ତି ।
ତେବେ ଏହି ଘଟଣାରେ ୭ଜଣ ଛାତ୍ରଙ୍କ ବିରୋଧରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୪ଜଣ ଛାତ୍ରଙ୍କୁ ଦୁଇଟି ସେମିଷ୍ଟାର ପାଇଁ ବାରଣ କରିବା ସହ କଲେଜ କ୍ୟାମ୍ପସକୁ ଆସିବାକୁ ମନା କରିଛନ୍ତି । ଅନ୍ୟ ୩ ଛାତ୍ରଙ୍କ ଆକ୍ଟିଭିଟିକୁ ତତ୍ତ୍ୱାବଧାନରେ ରଖାଯାଇଛି । ଗତ ୧୧ ଓ ୧୨ ତାରିଖରେ ଇଷ୍ଟ ହଷ୍ଟେଲର ସୁରକ୍ଷା କର୍ମୀ ଓ ୱାର୍ଡନଙ୍କ ସହ ଗଣ୍ଡଗୋଳ ହୋଇଥିବା କାରଣରୁ ସଂପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି ।