ସନଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ୱର : ମର୍ମନ୍ତୁଦ ଘଟଣା ବାହାନଗା ରେଳ ଦୁର୍ଘଟଣା ଏଯାଏ ମନରୁ ଲିଭିନି । ଏପରିସ୍ଥଳେ ନିଶାସକ୍ତ ରେଳ ଜଗୁଆଳି ଯୋଗୁଁ ଗତକାଲି ଅନେକ ଲୋକ ଦୁର୍ଘଟଣାରୁ ବର୍ତ୍ତିଲେ । ତେବେ ଏହି ଦାୟିତ୍ୱହୀନତା ସଂପୃକ୍ତ ରେଳ ଜଗୁଆଳିଙ୍କୁ ମହଙ୍ଗା ପଡିଛି । ଆଜି ତଦନ୍ତରେ ଆସିଥିବା ବିଭାଗୀୟ ଅଧିକାରୀ ଏନେଇ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କହିଛନ୍ତି।
ରେଳ ଫାଟକ ଜଗୁଆଳି ଜଣକ ହେଉଛନ୍ତି ଗୋପାଳ ରାମ । ଦକ୍ଷିଣ-ପୂର୍ବ ରେଳପଥ ଅଧୀନ ବାଲେଶ୍ୱର ଜିଲ୍ଲା ଅମର୍ଦ୍ଦାରୋଡ ଓ ବସ୍ତା ଷ୍ଟେସନ ମଧ୍ୟବର୍ତ୍ତୀ ନାରଙ୍ଗାବାଜ ରେଳ ଫାଟକରେ ସେ କାର୍ଯ୍ୟରତ । ଗତକାଲି ସଂଧ୍ୟା ପ୍ରାୟ ୮ଟା ବେଳେ ଫାଟକ ଖୋଲାଥିଲା । ଏହି ସମୟରେ ଏକ ଯାତ୍ରୀବାହିନୀ ଟ୍ରେନ ଫାଟକ ଅତିକ୍ରମ କରିଥିଲା । ରେଳଫାଟକରେ ପାର ହେଉଥିବା ଅନେକ ଲୋକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । କିଛି ସମୟ ବ୍ୟବଧାନରେ ଆଉ ଏକ ମାଲବାହୀ ଟ୍ରେନ ପୁଣି ଅତିକ୍ରମ କରିଥିଲା । ଏହି ସମୟରେ ଭୟଭୀତ ହୋଇ କିଛି ଲୋକ କ୍ୟାବିନ ପାଖକୁ ଦୌଡି ଯାଇଥିଲେ । କିନ୍ତୁ ଫାଟକ ଜଗୁଆଳି ନିଶାସକ୍ତ ଅବସ୍ଥାରେ ଶୋଇ ରହିଥିଲେ ।
ବହୁ ସମୟ ଧରି ଲୋକେ ଡାକିବା ସତ୍ତ୍ୱେ ସେ ଉଠି ନଥିଲେ । ଫଳରେ ମିଳିମିଶି ଲୋକ ମାନେ ଫାଟକ ବନ୍ଦ କରିଥିଲେ । ପରେ ରେଳ ଷ୍ଟେସନକୁ ଖବର ଦିଆଯାଇଥିଲା । ବିଭାଗୀୟ ଅଧିକାରୀ ତତକ୍ଷଣାତ ଆଉ ଜଣେ ଫାଟକ ଜଗୁଆଳି ଙ୍କୁ ଜଗିବା ଦାୟିତ୍ୱ ଦେଇଥିଲେ ।