ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଆହ୍ଲାବାଦ ସଂସଦୀୟ କ୍ଷେତ୍ର ଚର୍ଚ୍ଚାକୁ ଆସିପାରେ । କାରଣ ସମାଜବାଦୀ ପାର୍ଟି ତରଫରୁ ଏହି ଆସନରୁ ଅଭିଷେକ ବଚ୍ଚନଙ୍କ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ପାର୍ଟିର ନେତାଙ୍କ ଦ୍ୱାରା ଆହ୍ଲାବାଦ ସଂସଦୀୟ କ୍ଷେତ୍ରର ଭୋଟରଙ୍କ ଠାରୁ ମତାମତ ଗ୍ରହଣ କରାଯାଉଛି । ଅନୁମାନ କରାଯାଉଛି କି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମୁମ୍ବାଇ ଆସି ଅମିତାଭ ବଚ୍ଚନ ଓ ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ ସହ ଆଲୋଚନା କରିପାରନ୍ତି ।
ସେପଟେ ଯଦି ଏହି ଆସନରୁ ଅଭିଷେକ ବଚ୍ଚନ ନିର୍ବାଚନ ଲଢିବାକୁ ରାଜି ହୁଅନ୍ତି ତେବେ ଲଢେଇ ଜୋରଦାର ହେବ । ପ୍ରଥମତଃ ଅମିତାଭ ବଚ୍ଚନଙ୍କର ଏହି ସଂସଦୀୟ କ୍ଷେତ୍ର ସହ ଭଲ ସଂପର୍କ ରହିଛି । ଏହାସହ ଅଭିଷେକ ଯଦି ପ୍ରାର୍ଥୀ ହ୍ରୁଅନ୍ତି ତେବେ ଅମିତାଭ ବଚ୍ଚନ ପ୍ରଚାର କରିବେ । ସେପଟେ ଜୟା ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟା ରାୟ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବା ନିଶ୍ଚିନ୍ତ ।