ସନଷ୍ଟାର ଟିଭି ବ୍ୟୁରୋ
ବିଶାଖାପାଟଣା : ବିଶାଖାପାଟଣାଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ବାହୁଡା଼ ଯାତ୍ରା ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପ ଉପରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ ସକାଳେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ କରାଯାଇଥିଲା। ଦିନ ୪ ଟା ବେଳେ ଚାରି ଠାକୁରଙ୍କୁ ବାଦ୍ୟ, କୀର୍ତ୍ତନର ତାଳେ ତାଳେ ଧାଡ଼ି ପହଣ୍ଡି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର, ସୁଶୋଭିତ ଓ ରଙ୍ଗବେରଙ୍ଗ କପଡ଼ାରେ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଏହାପରେ ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଏବଂ ବିଶିଷ୍ଟ ସମାଜସେବୀ ଜୀତେନ୍ଦ୍ର କୁମାର ନାୟକ ପାରମ୍ପରିକ ଛେରା ପହଁରା କାର୍ଯ୍ୟ କରିଥିଲେ। ସନ୍ଧ୍ୟା ପାଞ୍ଚଟା ବେଳେ ରଥ ଟଣାର ଶୁଭାରମ୍ଭ କରଯାଇଥିଲା।
ଉତ୍ସବର ବିଶେଷ ସାଂସ୍କୃତିକ ଆକର୍ଷଣ, କଳାହାଣ୍ଡିର କେସିଙ୍ଗାରୁ ଆସିଥିବା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଦୁଲଦୁଲି କଳାକାର ମାନଙ୍କର ଅଲୌକିକ କଳା ଚାତୂର୍ଯ୍ୟ ଓ ଅଭୂତପୂର୍ବ ସୃଜନଶୀଳ ପ୍ରଦର୍ଶନ ଥିଲା। ବାହୁଡ଼ା ଯାତ୍ରାକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ମନ୍ଦିର କମିଟିର ସଭାପତି ଜୀତେନ୍ଦ୍ର କୁମାର ନାୟକ, ସାଧାରଣ ସଂପାଦକ ବିମଳ କୁମାର ମହନ୍ତ, ଉପ-ସଭାପତି ଡଃ କରୁଣାକର ପାଢ଼ୀ ତଥା ସଦସ୍ୟ ବିଜୟ ମହାପାତ୍ର ଓ ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।