ସନଷ୍ଟାର ଟିଭି ବ୍ୟୁରୋ
ପୁରୀ : ଇସ୍କନର ଅଦିନିଆ ରଥଯାତ୍ରା, ମହାପ୍ରସାଦ ନାଁରେ ଠକେଇ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହଦେବ । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜ କହିଛନ୍ତି, ଶ୍ରୀଗୁଣ୍ଡିଚାର ବାହୁଡା ମଧ୍ୟରେ ରଥଯାତ୍ରା ହୋଇପାରିବ । ଶ୍ରୀକ୍ଷେତ୍ରରେ ମହାପ୍ରଭୁ ସିଂହାସନ ଆରୋହଣ ପରେ ରଥଯାତ୍ରା ହୋଇପାରିବ ନାହିଁ । ସେହିପରି ମହାପ୍ରସାଦ ନାଁରେ ଠକେଇ ଅଭିଯୋଗ ଘଟଣାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି, ମହାପ୍ରସାଦ ଶ୍ରୀମନ୍ଦିର ବାହାରେ ହୋଇପାରିବ ନାହିଁ । ଏହା ପରମ୍ପରା ଏବଂ ସଂସ୍କୃତି ବାହାରେ । ପ୍ରଶାସନ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ଏହାସହ ରତ୍ନଭଣ୍ଡାର ଖୋଲିବା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ । କହିଛନ୍ତି ପ୍ରତି ୫ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲିବା କଥା । ରତ୍ନଭଣ୍ଡାର ଖୋଲାଯିବ କି ନାହିଁ ତାର ନିଷ୍ପତି ରାଜ୍ୟ ସରକାର ନେବେ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହଦେବ ।