ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଶନିବାର ଦିଲ୍ଲୀସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମେମୋରିଆଲରେ ପ୍ରଥମ ଥର ପାଇଁ ନିଜର ଅଭିଭାଷଣ ରଖିଛନ୍ତି । ଏହି ସମୟରେ ସେ ଦେଶର ବିଭାଜନ ଆଉ ନେତାଜୀଙ୍କ ବ୍ୟକ୍ତିତ୍ୱକୁ ନେଇ ବଡ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ, ଯଦି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୀବିତ ରହିଥାନ୍ତେ, ତେବେ ଦେଶର ବିଭାଜନ ହେଇନଥାନ୍ତା ।
ଡୋଭାଲ କହିଛନ୍ତି ଯେ, ନେତାଜୀ ନିଜ ଜୀବନକାଳ ମଧ୍ୟରେ ଅନେକ ଥର ସାହାସିକତା ଦେଖାଇଛନ୍ତି । ତାଙ୍କ ଭିତରେ ମହାତ୍ମାଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିବାର ସାହାସ ଥିଲା । ହେଲେ ସେତେବେଳେ ମହାତ୍ମା ଗାନ୍ଧୀ ନିଜ ରାଜନୈତିକ ଜୀବନର ଶୀର୍ଷରେ ଥିଲେ । ଆଉ ପରେ ପରେ ସୁବାଷ କଂଗ୍ରେସ ଛାଡିଦେଇଥିଲେ । ତେବେ ଭଲ କିମ୍ବା ଖରାପ କଥା କହୁନି । ବରଂ ଭାରତୀୟ ଇତିହାସ ଏବଂ ବିଶ୍ୱ ଇତିହାସରେ ଏମିତି ବହୁତ କମ୍ ଲୋକ ଥିଲେ ।
ଡୋଭାଲ ଆହୁରି ମଧ୍ୟ କହିଛନ୍ତି ଯେ, ନେତାଜୀ ଏକାକି ଥିଲେ । ଜାପାନ ବ୍ୟତୀତ ଅନ୍ୟ କୌଣସି ଦେଶ ତାଙ୍କୁ ସମର୍ଥନ କରିନଥିଲା । ନେତାଜୀ ହିଁ ପୂର୍ଣ୍ଣ ସ୍ୱାଧୀନତା ମାଗିଥିଲେ । ଦେଶକୁ ସ୍ୱାଧୀନ କରିବାକୁ ଚେଷ୍ଟା କରିଥିଲେ । ତେବେ ସ୍ୱାଧୀନତା ସହିତ ଲୋକଙ୍କ ରାଜନୈତିକ, ସାମାଜିକ ଏବଂ ସାଂସ୍କୃତିକ ମାନସିକତାରେ ପରିବର୍ତ୍ତନ ଆଣିବାକୁ ସେ ଚେଷ୍ଟା କରିଥିଲେ । ଖାଲି ସେତିକି ନୁହେଁ, ନେତାଜୀ ଜୀବିତ ରହିଥିଲେ, ଭାରତର ବିଭାଜନ ହେଇନଥାନ୍ତା ବୋଲି ଡୋଭାଲ ନିଜର ଅଭିଭାଷଣରେ କହିଛନ୍ତି ।