ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର, : ଉତ୍କଳ ବିଶ୍ୱବିଦ୍ୟାଳୟର ୨୦୦୮-୧୦ ବ୍ୟାଚ୍ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଏମ୍.କେ.ସି.ଜି. ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ପୁରାତନ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ଥିବା ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟର କୁଳ ସଚିବ ଡଃ ଅଭୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଅବିଚ୍ଛେଦ ଅଙ୍ଗ । ବିଶ୍ୱବିଦ୍ୟାଳୟର ଉନ୍ନତି ଦିଗରେ ପୁରାତନ ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇଥିଲେ । ୨୦୦୮-୧୦ ବ୍ୟାଚ୍ର ଛାତ୍ର ସଂସଦ ସଭାପତି ତଥା ବର୍ତ୍ତମାନ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାକୁ ଦୂର କରିବା ସହିତ ବିଶ୍ୱବିଦ୍ୟାଳୟ ପରିସରକୁ ସବୁଜ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଥିଲେ । ସେହି ବ୍ୟାଚ୍ର ଛାତ୍ର ତଥା ବର୍ତ୍ତମାନର ବିଶିଷ୍ଟ ଧର୍ମଗୁରୁ ବାବାଜୀ ଅମୃତାନନ୍ଦ ଦାସ ମହାରାଜ (ଅରୁଣ) ଯୋଗଦେଇ ଜୀବନଦର୍ଶନ ଓ ମାନବିକ ମୂଲ୍ୟବୋଧ ଉପରେ ଉଜ୍ଜସ୍ୱୀ ସମ୍ବୋଧନ କରି ସମସ୍ତଙ୍କୁ ମବମୁଗ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ୍ଧୁମିଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ସହ ବାଣୀବିହାର ୨୦୦୮-୧୦କୁ ଏକ ସମାଜସେବା ଅନୁଷ୍ଠାନର ରୂପ ଦେବାକୁ ପୂର୍ବତନ ସଭାପତି ତଥା ଉଚ୍ଚଶିକ୍ଷା ବିଭାଗର ଉପଦେଷ୍ଟା ଡଃ ତନ୍ମୟ ସ୍ୱାଇଁ ପ୍ରସ୍ତାବ ରଖିଥିଲେ । ଏହି ଅନୁଷ୍ଠାନ, ବନ୍ଧୁମାନଙ୍କ ସ୍ୱେଚ୍ଛାକୃତ ଦାନରେ ଏହା ଶିକ୍ଷା, ସ୍ୱାସ୍ଥ୍ୟ ଓ ଦୈବ ଦୁର୍ବିପାକ ସମୟରେ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବ । ଉପସ୍ଥିତ ଥିବା ସମସ୍ତ ବନ୍ଧୁମାନେ ଏହି ପ୍ରସ୍ତାବକୁ ଏକ ସ୍ୱରରେ ସ୍ୱାଗତ କରିଥିଲେ । ଏହି ବନ୍ଧୁମିଳନକାର୍ଯ୍ୟକ୍ରମରେ ପାଖାପାଖି ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଯୋଗଦେଇ ତାଙ୍କର ଅତୀତର ସ୍ମୃତିଚାରଣ କରିଥିଲେ । ନିଜ ନିଜ ସାଙ୍ଗକୁ ପାଖରେ ପାଇ ସମସ୍ତେ ଉତ୍ସାହିତ ଓ ଭାବ ବିହ୍ୱଳିତ ହୋଇପଡ଼ି ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ପଢ଼ିବା ସମୟର ସ୍ମୃତି ଓ ବାଣୀବିହାରର ଅନୁଭୂତିକୁ ବଖାଣିଥିଲେ । ଆଗାମୀ ସମୟରେ ଏକ ପତ୍ରିକା ପ୍ରକାଶିତ କରି ବନ୍ଧୁମାନଙ୍କ ଲେଖାକୁ ସ୍ଥାନ ଦେବାକୁ ପ୍ରସ୍ତାବ ପାରିତ ହୋଇଥିଲା । ପରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀମାନେ ମନଭରି ଉପଭୋଗ କରିଥିଲେ । ଆସନ୍ତା ବର୍ଷ ଜାନୁଆରୀରେ ତୃତୀୟବନ୍ଧୁମିଳନକୁ ଧୁମ୍ଧାମ୍ରେ ଆୟୋଜନ କରିବା ପାଇଁ ବନ୍ଧୁମାନେ ପ୍ରସ୍ତାବ ରଖିଥିଲେ । ପରିଶେଷରେ ସମସ୍ତଙ୍କୁ ଏକ ସ୍ମୃତି ଫଳକ ଉପହାର ପ୍ରଦାନ କରାଯାଇଥିଲା ଓ ୨୦୦୮-୧୦ ବ୍ୟାଚ୍ର ଛାତ୍ରଛାତ୍ରୀମାନେ କିଭଳି ଭାବେ ସୁଖ ଦୁଃଖରେ ପରସ୍ପର ସହିତ ବାନ୍ଧିହୋଇ ରହିବେ ତାହା ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମକୁସଫଳ କରିବା ଦିଗରେ ଇନ୍ଦ୍ରବାଦଲ ମହାନ୍ତି, ସୁଜ୍ଞାନୀ ଦଳାଇ, ଗୌରାଙ୍ଗ ପାଢୀ, ମନୋଜ ବିଶ୍ୱାଳ, ଜୟବ୍ରତଦାସ, ଓ ଦିଲ୍ଲୀପ ପାଣିଗ୍ରାହୀ ପ୍ରମୁଖ ମୁଖ୍ୟଭୂମିକା ଗ୍ରହଣ କରିଥିଲେ ।