ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ; ଓଡିଆ ମନ ବୁଝେ ପଖାଳ କଂସା । ଆମ ଓଡିଆଙ୍କ ପରିଚୟ ପଖାଳ, ଓଡିଆଙ୍କ ପରମ୍ପରା, ସଂସ୍କୃତି ସାଙ୍ଗକୁ ହୃଦୟରେ ପଖାଳ ଘର କରି ରହିଛି । ପଖାଳ ଏମିତି ଖାଦ୍ୟ ଯାହାକୁ ଉଭୟ ଗରିବ ଏବଂ ଧନୀ ମନଭରି ଉପଭୋଗ କରିପାରିବେ । ପଖାଳ ଖାଇବା ପାରେ ସତେ ଯେଭଳି ଆତ୍ମତୃପ୍ତି ହୋଇଯାଏ । ଆଉ ଯଦି ପଖାଳ ସାଙ୍ଗକୁ ବଡି ଚୂରା, ଶାଗ ଭଜା , ଆଳୁ ଭର୍ତ୍ତା, ମାଛ ଭଜା , ଚିଙ୍ଗୁଡି ଛେଚା ହୋଇଥିବ ତାହାଲେ ପଖାଳ ଖିଆ ଟା ଭାରି ଜମିବ । ଆମ ଓଡିଆ ତ କେହି କେହି ସକାଳୁ ସକାଳୁ ହିଁ ପଖାଳ କଂସା ଧରି ବସିଯାଆନ୍ତି । ଖରା ଦିନରେ ଗାଁ ଠାରୁ ସହର ଘରେ ଘରେ ନିତିଦିନିଆ ଖାଦ୍ୟ ପାଲଟେ ପଖାଳ । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ବି ପଖାଳ । ଷାଠିଏ ପଉଟି ଭୋଗରୁ କାଳିଆକୁ ଭାରି ପସନ୍ଦ ପଖାଳ । ଆଉ ଓଡିଆ ଘରର ପାରମ୍ପାରିକ ଖାଦ୍ୟ ପଖାଳ ଏବେ ଗାଁ ଠୁ ସହର ଚାରିଆଡେ ମହକୁଛି । ଆଉ ଆଜିର ଦିନକୁ ସବୁ ଓଡିଆ ମନଭରି ପଖାଳ ଦିବସ ଭାବେ ପାଳୁଛନ୍ତି । ପଖାଳ ର ପ୍ରଚାର ଓ ପ୍ରସାର ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ ।