ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଶପଥ ନବ ବିଜେଡି | ବିଜୁ ବାବୁଙ୍କ ସ୍ବପ୍ନ ପୁରା କରିବା ଏବଂ ନବୀନ ଓଡିଶା ଗଢ଼ିବା ପାଇଁ ଶପଥ ନବ ବିଜୁ ଜନତା ଦଳ | ଆସନ୍ତା ମାର୍ଚ୍ଚ ୫ ତାରିଖରେ ପାଳନ ହେବ ବିଜୁ ଜୟନ୍ତୀ ଉତ୍ସବ | ଏନେଇ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟନନ୍ତ୍ରୀ ନବୀନ ପଟ୍ଟନାୟକ | ମାର୍ଚ୍ଚ ୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ | ଏହାସହ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ନବୀନ ଓଡିଶା ଗଠନ ଦିଗରେ ପ୍ରବନ୍ଧ, ତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ | ବିଜୁ ଯୁବ ଏବଂ ଛାତ୍ର ଜନତା ଦଳକୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି |
ତେବେ ମାର୍ଚ୍ଚ ୫ ତାରିଖରେ ସକାଳ ୬ଟାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜୟନ୍ତୀ ପାଳନର ଶୁଭାରମ୍ଭ କରାଯିବ। ଏହାପରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା କରାଯିବ। ଅପରାହ୍ନରେ କର୍ମକର୍ତ୍ତାଙ୍କୁ ନେଇ ସାଧାରଣ ସଭା ଆୟୋଜନ କରାଯିବ । ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ଏଥିରେ ନବୀନ ଓଡ଼ିଶା ଗଠନ ପାଇଁ ସମସ୍ତ କର୍ମୀ ଶପଥ ନେବେ |
ସେପଟେ ମାର୍ଚ୍ଚ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମହିଳା ସମାବେଶ ଆୟୋଜନ କରାଯିବ | ଏଥିରେ ନାରୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଶକ୍ତିକରଣ କରିବା ଦିଗରେ ବିଜୁବାବୁଙ୍କ ଅବଦାନ ଉପରେ ଆଲୋଚନା କରାଯିବ।
ରିପୋର୍ଟ: ଦୀପା ପ୍ରଧାନ