ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଜି ନୂଆ ରୂପ ପାଇଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ | ଆଜି ମୁଖ୍ୟମନ୍ତ୍ରୀ ସୁଆଣ୍ଡୋ ଯାଇ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଛନ୍ତି | ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟିରେ ପାଦ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ମୁଁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ ଥିଲେ ଯୁଗପୁରୁଷ ଥିଲେ | ତାଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ଯେତେ ଯାହା କଲେ ବି କମ ହେବ | ତ୍ୟାଗ ଥିଲା ଗୋପବନ୍ଧୁଙ୍କ ଜୀବନର ବାର୍ତ୍ତା | ଏବଂ ଓଡ଼ିଆ ଜାତି ସର୍ବଦା ଗୋପବନ୍ଧଙ୍କ ପାଖରେ ଋଣୀ ରହିବ |”
ତେବେ ପ୍ରଥମେ ମୁଖ୍ୟମନ୍ତ୍ରୀ ସୁଆଣ୍ଡୋରେ ପହଞ୍ଚି ଶିବ ମନ୍ଦିରକୁ ଯାଇ ପୂଜା କରିଥିଲେ | ଏହାପରେ ଉତ୍କଳମଣି ଗୋପବନ୍ଧୁଙ୍କ ଷଠିଘର, ଗ୍ରାମ୍ୟ ଶିବମନ୍ଦିର,ଗୋପବନ୍ଧୁଙ୍କ ସଂଗ୍ରହାଳୟ, ଶିଶୁ ଉଦ୍ୟାନ ସହିତ ଗୋପବନ୍ଧୁଙ୍କ ୧୫ ଫୁଟ ଉଚ୍ଚତା ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ |
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁଆଣ୍ଡୋରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ସାଂସଦ ପିନାକୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
ରିପୋର୍ଟ: ଦୀପା ପ୍ରଧାନ