ସନଷ୍ଟାର ଟିଭି ବ୍ୟୁରୋ
ପଦ୍ମପୁର: ଆଜି ପୁଣି ଥରେ ଝାରବନ୍ଧ,ପଦ୍ମପୁର ଓ ପାଇକମାଳ ଆସି ମୁଁ ବହୁତ ଖୁସି । ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି। ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି । ଏଥିପାଇଁ ମୁଁ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ। ଆଜିର ଏହି ସଭାରେ ଆମର ମା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ମିଶନ ଶକ୍ତିରେ ସେମାନେ ବହୁତ ଭଲ କାମ କରୁଛନ୍ତି। ଆଜି ଏଠାରେ ମା ମାନଙ୍କ ପାଇଁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି । ମୋର ଆଶା ଆପଣମାନେ ଏହି ଟଙ୍କାରେ ଭଲ ଉଦ୍ୟୋଗୀ ହୋଇ ସୁନାମ କରିବେ।
ଗତ ଥର ମୁଁ ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ କିଛି ଘୋଷଣା କରିଥିଲି। ଚକ୍ରଧର ଡ୍ୟାମ କାମ ଆରମ୍ଭ ହୋଇସାରିଛି । ୧୩୩/୧୧ କେଭି ପାଇଁ ଜମି ଚିହ୍ନଟ ହୋଇସାରିଛି। ମୁଁ କଥା ନୁହେଁ, କାମରେ ବିଶ୍ବାସ କରେ। ଗତ ଡିସେମ୍ବରରେ ପଦ୍ମପୁର ଜିଲ୍ଲା ବିଷୟ ମୁଁ ଘୋଷଣା କରିଥିଲି। ଏହା ଏକ ବର୍ଷ ମଧ୍ୟରେ ନିଶ୍ଚୟ କରାଯିବ। ବାକି ସବୁ କାମ ସମୟ ଭିତରେ କରାଯିବ।
ଆପଣ ମାନେ ଜାଣନ୍ତି ଗତ ଉପ ନିର୍ବାଚନ ସମୟରେ ଦିଲ୍ଲୀ ରୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ମାନେ ପଦ୍ମପୁର ଆସିଥିଲେ | ଏବଂ ଆପଣମାନଙ୍କୁ ଖାଦ୍ୟଶସ୍ୟ ,ଫସଲବୀମା ,ରେଳ ବିଭାଗ ,କେନ୍ଦୁ ପତ୍ର ଜିଏଷ୍ଟି ଆଦି ବିଷୟରେ ଅନେକ ପ୍ରତିଶ୍ରୁତି ଦେଇଥିଲେ | ପ୍ରଭୁ ନୃସିଂହନାଥ ଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା ଯେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି ବିଷୟରେ ପ୍ରଭୁ ଟିକେ ମନେ ପକାଇ ଦିଅନ୍ତୁ |
ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ମୁଁ ୬୪ କୋଟି ଟଙ୍କା ମଂଜୁର କରିଛି। ଗତ ଉପନିର୍ବାଚନ ସମୟରେ ଆପଣମାନେ ମୋତେ ଭେଟିଥିଲେ। ପ୍ରତି ପଞ୍ଚାୟତ, ପ୍ରତି ଏନସି ଏବଂ ପ୍ରତି ୱାର୍ଡର ବିକାଶ ପାଇଁ ଆପଣମାନେ ମୋତେ ପ୍ରସ୍ତାବ ଦେଇଥିଲେ । ମୁଁ ଖୁସି ଯେ ସେହି ପ୍ରସ୍ତାବକୁ ଭିତ୍ତିକରି ଏ ଟଙ୍କା ପ୍ରଦାନ କରାଯାଇଛି । ଲୋକଙ୍କ ପ୍ରସ୍ତାବକୁ ଭିତ୍ତିକରି ଟଙ୍କା ପ୍ରଦାନ କରାଯିବା, ଓଡିଶା ଇତିହାସରେ ପ୍ରଥମ । ମୋର ପୁରା ବିଶ୍ବାସ ଏ ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏହା ସହାୟକ ହେବ।