ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ । ହକି ବିଶ୍ୱ କପ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଗ୍ରୁପ-ଡି ମ୍ୟାଚରେ ବିଜୟୀ ହୋଇଛି ଭାରତ | ଭାରତ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ଗେଟିଏ ମ୍ୟାଚ ଡ୍ର ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଭାରତକୁ କ୍ୱାଟର ଫାଇନାଲକୁ ଯିବାକୁ ହେଲେ ଆଉ ଏକ ମ୍ୟାଚ୍ ଖେଳିବାକୁ ପଡିବ ।
ନିଜର ପ୍ରଥମ ମ୍ୟାଚରେ ଭାରତ ସ୍ପେନକୁ ୨-୦ ଗୋଲରେ ହରାଇଥିବା ବେଳେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ଡ୍ର ରହିଥିଲା । ଗତକାଲିର ମ୍ୟାଚରେ ଭାରତ ପାଇଁ ସମସେର ସିଂ, ହରମନପ୍ରୀତ ସିଂ ଏବଂ ଆକାଶଦୀପ ସିଂ ଗୋଲ୍ କରିଥିଲେ । ସମସେର ସିଂ ଭାରତ ପାଇଁ ପ୍ରଥମ ଗୋଲ୍ କରିଥିଲେ । ପ୍ରଥମ ହାଫ୍ ସୁଦ୍ଧା ଭାରତୀୟ ଟିମ୍ ଦୁଇଟି ଗୋଲ ସହ ଆଗୁଆ ଥିଲା । କିନ୍ତୁ ତୃତୀୟ କ୍ୱାଟରର ଶେଷରେ ୱେଲ୍ସ ପ୍ରତ୍ୟାବର୍ତ୍ତନ କରି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରି ୨-୨ରେ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା ।
ତେବେ ସୂଚନା ଅନୁଯାୟୀ ଭାରତକୁ ଏବେ ଗ୍ରୁପ-ସିର ତୃତୀୟ ସ୍ଥାନରେ ରହିଥିବା ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସଓଭର ମ୍ୟାଚ୍ ଖେଳିବାକୁ ହେବ । ଏହି ମ୍ୟାଚ୍ ଜିତିଲେ କ୍ୱାଟରଫାଇନାଲ ଖେଳିବ ଟିମ ଇଣ୍ଡିଆ ।
ରିପୋର୍ଟ:ଦୀପା ପ୍ରଧାନ