ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କାଲିଠୁ କମ୍ପିବ କଳିଙ୍ଗ ଓ ବିର୍ସାମୁଣ୍ଡା ଷ୍ଟାଡିୟମ | ବହୁ ଦିନ ଅପେକ୍ଷାର ଅନ୍ତ ଘଟିଛି | ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛି ଓଡ଼ିଶା । ବିଶ୍ବର ଅନେକ ସ୍ଥାନରେ ହକି ବିଶ୍ବକପ ଆୟୋଜନ ହୋଇଛି । ହେଲେ ଓଡ଼ିଶା ଯେଭଳି ଆୟୋଜନ କରିଛି ତାହା ଆଉ କେଉଁଠାରେ ଦେଖିବାକୁ ମିଳିନି । ଏହାକୁ ଦେଖି ହକି ପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି | ସାରା ବିଶ୍ୱ ଓଡ଼ିଶାରେ ଦେଖିବା ପୁରୁଷ ହକି ବିଶ୍ୱ କପ ୨୦୨୩ |
ହକି ବିଶ୍ୱ କପ ପାଇଁ ସହଯୋଗ କରିଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ହକି ବିଶ୍ବକପ ହେଉଥିବାରୁ ସେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି । ଏବଂ ହକି ବିଶ୍ବକପ୍ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ |
ତେବେ ଗତକାଲି ମେଗା ଇଭେଣ୍ଟରେ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଶ୍ବବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ନବୀନ । ଆତିଥ୍ୟ ପ୍ରଦାନରେ ଓଡ଼ିଶା ସ୍ବତନ୍ତ୍ର । ବିଶ୍ବରେ ଓଡ଼ିଶା ଆତିଥେୟତା ଦେବାରେ ନାଁ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଉତ୍ସବରେ ଯୋଗଦେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓଡ଼ିଶା ଏବଂ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ।
ରିପୋର୍ଟ: ଦୀପା ପ୍ରଧାନ