ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଅର୍ଥ ଅଭାବରୁ ନିଜର ଚିକିତ୍ସା ପାଇଁ ହସ୍ପିଟାଲକୁ ଯିବାକୁ ଭୟ କରୁଥିଲେ ନିରଞ୍ଜନ । ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର, ଅସ୍ତ୍ରୋପଚାର ସଫଳ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଲେ ନିରଞ୍ଜନ । ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ, ଡ଼େରାବିଶ ବ୍ଲକର ୫୩ବର୍ଷିୟ ନିରଞ୍ଜନ ସାହୁ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରନ୍ତି । ପରିବାର କହିଲେ, ତାଙ୍କ ପତ୍ନୀ ଏବଂ ଗୋଟେ ଝିଅ । କିଛି ମାସ ପୂର୍ବରୁ ହଠାତ୍ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଚିକିତ୍ସା ନିମନ୍ତେ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ସେଠାରେ କିଛି ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ତାଙ୍କର ଅନେକ ପଇସା ଖର୍ଚ୍ଚ ହୋଇଯାଇଥିଲା । ନିରଞ୍ଜନ ପରିବାରରେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ହୋଇଥିବାରୁ ତାଙ୍କ ପରବର୍ତ୍ତୀ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ପରିବାର ସଦସ୍ୟ ଅସମର୍ଥ ଥିଲେ ଏବଂ ଅସହାୟ ହୋଇ ଓଡ଼ିଶା-ମୋ ପରିବାରକୁ ଯୋଗାଯୋଗ କରିଥିଲେ ।
ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ସମ୍ ହସ୍ପିଟାଲରେ ଥିବା ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ରଶ୍ମି ରଞ୍ଜନ ପ୍ରଧାନ ତାଙ୍କୁ ସମ୍ ହସ୍ପିଟାଲକୁ ଆସିବାରେ ସାହାଯ୍ୟ କରିଥିଲେ ଏବଂ ହସ୍ପିଟାଲରେ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଜଣା ପଡ଼ିଥିଲା ଯେ,ତାଙ୍କ ଖାଦ୍ୟନଳୀରେ ଏକ ମାଂସ ବଢିଥିଲା ଏବଂ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ । ଅସ୍ତ୍ରୋପଚାର ସମୟରେ ତାଙ୍କ ହିମୋଗ୍ଲୋବିନ୍ ସ୍ତର ହ୍ରାସ ପାଇବାରୁ ଜରୁରୀ ରକ୍ତର ଆବଶ୍ୟକତା ଥିଲା । ଓଡ଼ିଶା-ମୋ ପରିବାର ପକ୍ଷରୁ ତାଙ୍କୁ ୩ ୟୁନିଟ୍ ରକ୍ତ ମଧ୍ୟ ଯୋଗାଇ ଦିଆଯାଇଥିଲା । ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ବହନ କରାଇବା ପାଇଁ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସଂଯୋଜନା କରିଥିଲେ । ଶେଷରେ ଅସ୍ତ୍ରୋପଚାର ସଫଳ ହୋଇଥିଲା ।