ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ବିଜେଡିର ରୋପ୍ୟ ଜୟନ୍ତୀ । ଶ୍ରୀକ୍ଷେତ୍ରରେ ବିଜୁ ଜନତା ଦଳ ପାଳୁଛି ୨୬ତମ ପ୍ରତିଷ୍ଠା ଦିବସ । ଏଥିରେ ୫୦ ହଜାର କର୍ମୀ ଓ ନେତାଙ୍କ ସମାଗମ ହେବ । ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ପୁଣି ଥରେ ବିଜେଡି ସୁପ୍ରିମୋ ଦେବେ ଗୁରୁମନ୍ତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁଣି ଥରେ ଦଳୀୟ କର୍ମୀ ଶଙ୍ଖକ୍ଷେତ୍ରରେ ଜନସେବା ପାଇଁ ସଂକଳ୍ପ ନେବେ ।
ରାଜ୍ୟବାସୀଙ୍କ ସେବାରେ ୨୫ ବର୍ଷ ପୂର୍ତ୍ତି ଉତ୍ସବକୁ ପାଳନ କରୁଛି ଦଳ। ପୁରୀ ତାଳବଣିଆରେ ସମସ୍ତ ପ୍ରସ୍ତୁତି ହୋଇଛି । ୧୯୯୭ ମସିହା ଡିସେମ୍ବର ୨୬ରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବା କରିଆସୁଛି ଦଳ । ଆଉ ସେଥିପାଇଁ ରାଜ୍ୟବାସୀ ଥରେ ନୁହେଁ ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି । ୧୯୯୯ ମସିହାର ମହାବାତ୍ୟାର ବିଭିଷୀକା ପରେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି କ୍ଷମତାସୀନ ହୋଇଥିଲା।
ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦଳର ରୋପ୍ୟ ଜୟନ୍ତୀ ସମଗ୍ର ଓଡିଶା ବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ନେତା କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ।
ରିପୋର୍ଟ : ଦୀପା ପ୍ରଧାନ