ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀକୁ ନେଇ ସାରା ବିଶ୍ୱରେ ରହିଛି ସ୍ବତନ୍ତ୍ର କ୍ଷାତି। ହଜାର ହଜାର ପର୍ଯ୍ୟଟକ ଓ ଭକ୍ତ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିର ମଜା ଉଠାଇବା ପାଇଁ ଆସିଥାନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୌର ପ୍ରଶାସନ ଆଦୌ ଗୁରୁତ୍ୱ ଦେଉନାହିଁ। ମାଳ ମାଳ ଉଠା ଦୋକାନୀ ବଡ଼ଦାଣ୍ଡ ସମେତ ସମୁଦ୍ର କୂଳରେ ଅସ୍ୱାସ୍ଥ୍ୟକର ଏବଂ ନିମ୍ନମାନର ଖାଦ୍ୟ ଖୁଲମଖୁଲା ବିକ୍ରି କରୁଛନ୍ତି। ଏନେଇ ପୌର ପ୍ରଶାସନ ପକ୍ଷରୁ ଖାଦ୍ୟର ମାନ ଆଦୌ ଯାଞ୍ଚ କରାଯାଉନଥିବା ଅଭିଯୋଗ ହୋଇଛି। କେବଳ ଉଠା ଦୋକାନୀଙ୍କ ଠାରୁ ଦୈନିକ ଶୁଳ୍କ ଆଦାୟ କରିବାରେ ପ୍ରଶାସନ ବ୍ୟସ୍ତ ଥିବାବେଳେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ପ୍ରଶାସନର ଟିକେ ହେଲେ ବି ଚିନ୍ତା ନାହିଁ।
ପୁରୀରେ ପୌର ନିର୍ବାଚନ ହୋଇନଥିବାରୁ ପୌର ପାଳିକା ପରିଚାଳନା କରିବା ପାଇଁ କୌଣସି ଲୋକ ପ୍ରତିନିଧି ନାହାନ୍ତି। ତେଣୁ ପୌର ପାଳିକରେ ଏବେ ଅଧିକାରୀ ମାନେ ହେଉଛନ୍ତି ସର୍ବେସର୍ବା। କେବଳ ନିଜର ଫାଇଦା ଥିବା କାର୍ଯ୍ୟରେ ମାତିଛନ୍ତି ବଡ଼ବଡ଼ିଆ ବାବୁ। ସହରବାସୀ ଭକ୍ତ ଓ ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ସ୍ଥାଣୁ ପାଲଟିଯାଇଛି ପୌର ପାଳିକା। ବଡ଼ଦାଣ୍ଡ ଏବଂ ସମୁଦ୍ରକୂଳରେ ଶହ ଶହ ଉଠା ଦୋକାନୀ ଖୁଲମଖୁଲା ଅସ୍ୱାସ୍ଥ୍ୟକର ପରିବେଶରେ ଅତି ନିମ୍ନ ମାନର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ସ୍ବାସ୍ଥ୍ୟ ପ୍ରତି ବିପଦ ଥିବା ଅନେକ ରାସାୟନିକ ରଙ୍ଗ ଖାଦ୍ୟରେ ମିଶା ଯାଉଛି। ପୁରୀ ଭଳି ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀରେ ଖାଦ୍ୟର ମାନ ଯାଞ୍ଚ ପାଇଁ ପୌର ପାଳିକାରେ ଫୁଡ୍ ଇନ୍ସପେକ୍ଟର ଅଛନ୍ତି। କିନ୍ତୁ ଏ ବାବୁ ଏବେ କ’ଣ କରୁଛନ୍ତି ତାହାକୁ ସହରବାସୀ ଓ ପର୍ଯ୍ୟଟକମାନେ ପ୍ରଶ୍ନ ଉଠାଇଛନ୍ତି। ପୌର ପ୍ରଶାସନର ଅଧିକାରୀମାନେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ସ୍ୱାର୍ଥକୁ ଗୁରୁତ୍ଵ ନଦେଇ କେବଳ ଉଠା ଦୋକାନୀଙ୍କ ଠାରୁ ଦୈନିକ ଶୁଳ୍କ ଆଦାୟ କରିବାରେ ବ୍ୟସ୍ତ ରହୁଛନ୍ତି। ତେବେ ଏହି ଅର୍ଥର ଅଧିକାଂଶ ଅଂଶ କିଛି ଅସାଧୁ ଅଧିକାରୀ ମାନେ ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି।
– ପୁରୀ ସହରର ସ୍ବତନ୍ତ୍ର କ୍ଷାତି ରହିଛି ସାରା ବିଶ୍ୱରେ। ତେଣୁ ରାଜ୍ୟ ସରକାର ସବୁବେଳେ ପର୍ଯ୍ୟଟକ ଏବଂ ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଆସୁଥିବା ବେଳେ ଖାଦ୍ୟର ମାନ ଯାଞ୍ଚ ନେଇ ପୌର ପ୍ରଶାସନର ଏଭଳି ଚରମ ଅବହେଳାକୁ ନେଇ ପର୍ଯ୍ୟଟକ ମାନେ ଅସନ୍ତୋଷ ପ୍ରକାଶ ପାଇଛି। ଅନେକ ଦୋକାନୀ ବାସି ଖାଦ୍ୟ ବିକ୍ରି କରୁଥିବା ବେଳେ ଖୋଲା ମେଲାରେ ଖାଦ୍ୟ ବିକ୍ରି କରୁଥିବାରୁ ଏଥିରେ ଧୂଳି ପଡିବା ସହ ମଶା ମାଛି ମଧ୍ୟ ବସୁଛନ୍ତି। ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଖାଦ୍ୟର ମାନ ଯାଞ୍ଚ ପାଇଁ ସବୁବେଳେ ପ୍ରଶାସନିକ ସ୍ତରରେ ନିୟମିତ ଯାଞ୍ଚ କରାଯାଉଛି। ଅନୁରୂପ ଭାବେ ପୁରୀରେ ମଧ୍ୟ ଏଭଳି ଯାଞ୍ଚ କରିବାର ସହ ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପର୍ଯ୍ୟଟକ। ସେପଟେ ସେହି ଚିରାଚରିତ ଢଙ୍ଗରେ ଉତ୍ତର ରଖିଛନ୍ତି ପୌର ଅଧିକାରୀ। ଫୁଡ୍ ଇନ୍ସପେକ୍ଟରଙ୍କ ଦ୍ବାରା ବିଭିନ୍ନ ସମୟରେ ଖାଦ୍ୟର ମାନ ଯାଞ୍ଚ କରାଉଥିବା ବେଳେ ଆଗକୁ ଏହାକୁ କଡାକଡି କରାଯିବ ବୋଲି କହିଛନ୍ତି ପୌର ଅଧିକାରୀ।
– ପୁରୀ ପୌର ପାଳିକାରେ ନିର୍ବାଚନ ହୋଇନଥିବାରୁ ଏଠାରେ କାଉନସିଲର କିମ୍ବା ଅଧ୍ୟକ୍ଷ ନାହାନ୍ତି। ଫଳରେ ସହରରେ ଅନେକ ସମସ୍ୟା ସମାଧାନ ହୋଇପାରୁନାହିଁ। ତେବେ ପୌର ପାଳିକା ଏବେ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ବରେ ଥିବା ବେଳେ ସହରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ପୌର ନିର୍ବାହୀ ଅଧିକାରୀଙ୍କୁ ଦୃଢ଼ ବିରୋଧ କରାଯିବ ବୋଲି ବିଭିନ୍ନ ସଙ୍ଗଠନ ଚେତାବନୀ ଦେଇଛନ୍ତି।
ରିପୋର୍ଟ:ଶଙ୍କର ସରକାର