ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଘୋଷଣା ଅନୁଯାୟୀ ଆଜି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀ । ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ତୋଳାଳୀ ୧୦୦୦ ଟଙ୍କା ପାଇଥିବାବେଳେ ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ମିଳିଛି ୧୫୦୦ ଟଙ୍କା । ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଏହି ସହାୟତା ବଣ୍ଟନ କରିଛନ୍ତି । ହିତାଧିକାରୀଙ୍କ ଖାତାକୁ ୪୩ କୋଟି ଟଙ୍କା ଦିଆଗଲା । DBT ଜରିଆରେ ଏହି ସହାୟତା ହିତାଧିକାରୀଙ୍କ ବ୍ଯାଙ୍କ ଖାତାରେ ଜମା ହୋଇଥିଲା |
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକର ଖୁସି ହିଁ ତାଙ୍କର ସବୁଠାରୁ ବଡ ଖୁସି । ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି ଓ ସେମାନଙ୍କ କଲ୍ଯାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଉପନିର୍ବାଚନ ଆଚରଣବିଧି ଉଠିବା ପରେ ବରଗଡ ଜିଲ୍ଲାର ତୋଳାଳୀ ଓ ଅନ୍ଯ କେନ୍ଦୁପତ୍ର କର୍ମଚାରୀ ମାନଙ୍କୁ ଏ ସବୁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।
କେନ୍ଦୁପତ୍ର ହେଉଛି ଗରିବ ଲୋକ ର ଦାନା ପାଣିର କଥା । ତେଣୁ ତା ଉପରେ ୧୮%GST କୁ ନାପସନ୍ଦ କରି ଏହାର ସମ୍ପୂର୍ଣ୍ଣ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ନିକଟରେ ଦାବୀ କରିଥିଲେ । ଆଜି ନୂଆପଡ଼ା କଳାହାଣ୍ଡି କୋରାପୁଟ ନବରଙ୍ଗପୁର ଅନୁଗୁଳ ସମ୍ବଲପୁର ଝାରସୁଗୁଡା କନ୍ଧମାଳ, ବୌଦ୍ଧ, କେଉଁଝର ଦେବଗଡ଼, ଓ ବଲାଙ୍ଗୀର ଆଦି ବାର ଜିଲ୍ଲାର ସତର ଡିଭିଜନର ହିତାଧିକାରୀ ମାନଙ୍କୁ ଆଜି ସହାୟତା ବଣ୍ଟନ କରାଯାଇଥିଲା | .ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ଯାଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ ସୂଚନା କରିଥିଲେ।
ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡାଃ ମୋନା ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଓ ଜଙ୍ଗଲ ପରିବେଶ ବିଭାଗର ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ହିତାଧିକାରୀ ଶାନ୍ତନୁ କୁମାର ଭୋଇ ,ଝାରସୁଗୁଡ଼ାର ପୁଷ୍ପ ଲତା ଭଇଁଶା ଓ ନୂଆପଡ଼ାର ଇଶ୍ଵର ଶବରଙ୍କ ସହ ସହାୟତା ବିଷୟରେ ଆଲୋଚନା କରି ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଗତ ତେଇଶି ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏ ସହାୟତା ବିଷୟ ଘୋଷଣା କରିଥିଲେ ।
ରିପୋର୍ଟ ଦୀପା ପ୍ରଧାନ