ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ଉଡ଼ିବ ବିମାନ । ଏନେଇ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି । ଓଡ଼ିଶା ସରକାର ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକ୍ ପରି ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବାର ଯୋଜନା ଆରମ୍ଭ କରିଛନ୍ତି । ସପ୍ତାହକୁ ୩ ଦିନ ବିମାନ ଚଳାଚଳ ପାଇଁ ଟେଣ୍ଡର ଆହ୍ୱାନ ହୋଇଛି । ଦିନେ ଛାଡ଼ି ଦିନେ ସହ ସପ୍ତାହାନ୍ତରେ ବିମାନ ଚଳାଚଳ ପାଇଁ ସର୍ତ୍ତ ରହିଛି । ବିମାନ ଚଳାଚଳକୁ ପ୍ରୋତ୍ସାହନ ଦେବା ପାଇଁ ବିମାନ ଇନ୍ଧନ ଉପରୁ ରାଜ୍ୟ ସରକାର ଟିକସ ଛାଡ଼ କରିଛନ୍ତି । ଏଥିରେ ଆଗ୍ରହୀ ଥିବା କମ୍ପାନୀ ଏଥିପାଇଁ ୭୦ କିମ୍ବା ତା’ଠାରୁ ଅଧିକ ସିଟ୍ ବିଶିଷ୍ଟ ବିମାନ ବ୍ୟବହାର କରିପାରିବେ ।
ତେବେ ବିଦେଶରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ବିମାନ ସେବା ଆରମ୍ଭ କରିବାକୁ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ଉତ୍ସାହିତ କରିବାକୁ ଭୁବନେଶ୍ୱରରୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ଆସନ୍ତା ୨୮ ତାରିଖରେ ଏହି ଟେଣ୍ଡର ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।
ରିପୋର୍ଟ: ଦୀପା ପ୍ରଧାନ