ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ସର୍ବ ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ଲାଭ କରିବେ ମୁର୍ମୁ।
ଆଜି ସକାଳ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ଏହାପରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ। ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସିଧାସଳଖ ପୁରୀ ଯିବେ ମୁର୍ମୁ ।ମଧ୍ୟାହ୍ନରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ୱାର ନିକଟରେ ତାଙ୍କୁ ସ୍ୱାଗତ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କର ପ୍ରାୟ ୧ ଘଣ୍ଟାର ଦର୍ଶନ କାର୍ଯ୍ୟକ୍ରମ ରହିଛି। ମହାପ୍ରଭୁଙ୍କ ଦର୍ଶନ ପରେ ରାଜଭବନକୁ ଯାଇ ମହାପ୍ରସାଦ ସେବନ କରିବେ ମୁର୍ମୁ। ପୁରୀରୁ ଅପରାହ୍ଣରେ ଭୁବନେଶ୍ୱର ଫେରି ରାଜଧାନୀର ୮ଟି ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଦ୍ରୌପଦୀ ମୁର୍ମୁ।
ଏହାସହିତ ରାଷ୍ଟ୍ରପତିଙ୍କ ସ୍ୱାଗତ ଲାଗି ସେ ପଢୁଥିବା ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ଓ କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସକୁ ସଜା ଯାଇଛି। ୧୯୭୦ରୁ ୭୪ ଯାଏ ଏହି ସ୍କୁଲ୍ରେ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ହଷ୍ଟେଲରେ ରହୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାସହ ଯେଉଁ ହଷ୍ଟେଲ୍ରେ ସେ ରହୁଥିଲେ ସେହିସବୁ ବ୍ଲକ୍କୁ ସଜାଯାଇଥିବା ବେଳେ ସେ ଶୋଉଥିବା ଖଟକୁ ବି ସେଠି ରଖାଯାଇଛି। ଏଠି ନିଜର ୧୩ ଜଣ ସହପାଠିନୀଙ୍କୁ ବି ଭେଟିବେ ରାଷ୍ଟ୍ରପତି। ଏଥିପାଇଁ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି।
ରିପୋର୍ଟ: ଦୀପା ପ୍ରଧାନ