ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବର୍ଷା ଅନୁଭବ ବିବାଦ ମାମଲାରେ ବର୍ଷାଙ୍କୁ ବଡ ଝଟକା। ଆସନ୍ତା ମାସ ୨ ତାରିଖ ସୁଦ୍ଧା ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ଶାଶୁଘର ଚାବି ହସ୍ତାନ୍ତର କରିବେ ବର୍ଷା। କଟକ ଏସ.ଡି.ଜେ.ଏମ. କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ି ସରିଥିଲେ ମଧ୍ୟ ସେହି ଘରର ଚାବି ଅନୁଭବଙ୍କୁ ହସ୍ତାନ୍ତର କରି ନାହାଁନ୍ତି। ଫଳରେ ଅନୁଭବ ଏନେଇ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ସେହି ପିଟିସନ ଘରର ଚାବି ତାଙ୍କୁ ହସ୍ତାନ୍ତର କରିବା ସହ ପୋଲିସ ଉପସ୍ଥିତିରେ ଘରକୁ ଯାଞ୍ଚ କରିବାକୁ କୋର୍ଟକୁ କହିଥିଲେ ଅନୁଭବ। ତେବେ କୋର୍ଟ ଏହି ମାମଲାରେ ଉଭୟ ପକ୍ଷଙ୍କୁ ଶୁଣିବା ପରେ ବର୍ଷାଙ୍କୁ ଘରର ଚାବି ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ବର୍ଷା ଅନୁଭବ ବିବାଦ ମାମଲାରେ ଅନୁଭବଙ୍କ ଆବେଦନକୁ ଗ୍ରହଣ କରି କଟକ ଏସ.ଡି.ଜେ.ଏମ ବର୍ଷାଙ୍କୁ ଅଗଷ୍ଟ ମାସ ଶେଷ ସୁଦ୍ଧା ଅନୁଭବଙ୍କ କଟକ ନନ୍ଦିସାହି ଠାରେ ଥିବା ପୈତୃକ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ପ୍ରଦାନ ପାଇଁ ଅନୁଭବଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରତିମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ବର୍ଷାଙ୍କୁ ପ୍ରଦାନ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ପ୍ରଥମ ମାସର ଟଙ୍କା ପାଇବାର ଦୁଇ ମାସ ମଧ୍ୟରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ରିପୋର୍ଟ: ଦୀପା ପ୍ରଧାନ