ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡ଼ିଆ ସିନେପ୍ରେମୀ ବିଶେଷକରି ବାବୁସାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। କିଛି ଦିନ ଅନ୍ତରରେ ବାବୁସାନ ପ୍ରଶଂସକଙ୍କୁ ଭେଟିଦେବାକୁ ଯାଉଛନ୍ତି ଦମଦାର ଚଳଚ୍ଚିତ୍ର ‘ଦମନ’ । କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବଡ଼ ବଜେଟ୍ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସିନଥିଲା। ପରିସ୍ଥିତି ସୁଧୁରିବା ପରେ ବର୍ତ୍ତମାନ ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେଶିଳ୍ପ । ସେହି କ୍ରମରେ ରିଲିଜ୍ ପାଇଁ ସଜବାଜ ହେଉଛି ‘ଦମନ’। ଏ ଫିଲ୍ମରେ ବାବୁସାନଙ୍କ ସହ ଦୀପନ୍ବିତ ଦାସ ମହାପାତ୍ରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ |
ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ । ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠାର କାହାଣୀ ଉପରେ ସ୍ଥାନିତ ହୋଇଛି ଏହି ଫିଲ୍ମ । ଡାକ୍ତରୀ ପାଠ ଶେଷ କରିବା ପରେ ଏହି ଯୁବ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି ତାହା ଦେଖିବାକୁ ମିଳିବ ‘ଦମନ’ ରେ।
ବଡ଼ ବଜେଟର ଏହି ଫିଲ୍ମରେ ବାବୁସାନଙ୍କ ଭରପୂର ଆକ୍ସନ ଦେଖିବେ ସିନେପ୍ରେମୀ । ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଯୋଜନାରେ ଅଛନ୍ତି ଦୀପେନ୍ଦ୍ର ସାମଲ। ଜେପି ଓ୍ବାର୍ଡସ୍ମିଥ୍ ଓ ବାପୁ ଗୋସ୍ଵାମୀ ଏହାର ଗୀତ ଲେଖିଥିବା ବେଳେ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍ । ଏବଂ ଏହାର ଫିଲ୍ମର କ୍ରିଏଟିଭ୍ ହେଡ୍ ତଥା ପ୍ରଚାର ପ୍ରସାର ଦାୟିତ୍ୱ ରେ ଅଛନ୍ତି ପ୍ରଣୟ ଜେଠୀ l
ବଡ଼ ଷ୍ଟାର ରିଅଲ ଷ୍ଟୋରୀ କୁ ନେଇ ଆସନ୍ତା ୪ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ‘ଦମନ’ | ଏହାକୁ ଦର୍ଶକ ବହୁ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି l
ରିପୋର୍ଟ : ଦୀପା ପ୍ରଧାନ