ସନଷ୍ଟାର ଟିଭି ବ୍ୟୁରୋ
ଧାମନଗର : କମ୍ପୁଛି ଧାମନଗର ମଇଦାନ | ଧାମନଗର ଉପନିର୍ବାଚନରେ ଜୋରସୋରରେ ଚାଲିଛି ୩ ଦଳଙ୍କ ପ୍ରଚାର ପ୍ରସାର | ଆଜିଠାରୁ ଧାମନଗରମଇଦାନରେ ଜମିବ ହେଭିୱେଟଙ୍କ ପ୍ରଚାର। ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦିଓ ଦଳ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ, ହେଲେ ଦଳ ପକ୍ଷରୁ ସୂଚନା ମିଳିଛି ଯେ ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀ ବି ପ୍ରଚାରକୁ ଯାଇପାରନ୍ତି । ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିପାରନ୍ତି । ଏହାସହ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ପ୍ରମିଳା ମଲ୍ଲିକ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ସାଂସଦ ସୁଲତା ଦେଓ, ସାଂସଦ ମଂଜୁଲତା ମଣ୍ଡଳଙ୍କ ସମେତ ବହୁ ବିଜେଡି ନେତା ଓ ମନ୍ତ୍ରୀ ପ୍ରଚାର କରିବେ ।
ସେପଟେ ବିଜେପିର ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ପ୍ରଚାର ମଇଦାନକୁ ଓହ୍ଲାଇବେ ।ସୂଚନା ଅନୁଯାୟୀ , ୨୭ ଓ ୨୮ ତାରିଖରେ ଧାମନଗରରେ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଧାମନଗରରେ ପ୍ରଚାର କରିବେ ।
କଂଗ୍ରେସ ଦଳର ପ୍ରାର୍ଥୀ ବାବା ହରେକୃଷ୍ଣଙ୍କ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ ପ୍ରଚାରରେ ଯୋଗ ଦେଇପାରନ୍ତି । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ତାରା ବାହିନୀପତି ଓ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ରିପୋର୍ଟ: ଦୀପା ପ୍ରଧାନ