ସନଷ୍ଟାର ଟିଭି ବ୍ୟୁରୋ
ବ୍ରିଟେନ : ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ପ୍ରତିଦ୍ୱନ୍ଦ୍ୱୀ ପେନୀ ମୋର୍ଡୋଣ୍ଟ ନାଁ ପ୍ରତ୍ୟାହାର କରିବା ପରେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହେଲେ ଋଷି । ସୁନକ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କୁ ୧୮୦ରୁ ଅଧିକ ସାଂସଦଙ୍କର ସମର୍ଥନ ମିଳିଛି । ଆସନ୍ତା ୨୮ ତାରିଖରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ୨୯ ତାରିଖରେ ନୂଆ କ୍ୟାବିନେଟ୍ ଗଠନ କରାଯାଇପାରେ । ୪୫ ଦିନ ଧରି ବ୍ରିଟେନର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ସୁନକଙ୍କୁ ଦୃଢ଼ ଦାବିବାର ବିବେଚନା କରାଯାଇଥିଲା । ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦୌଡ଼ରୁ ବାଦ୍ ପଡ଼ିଥିଲେ, ଯାହାପରେ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ବ୍ରିଟେନ ରାଜନୀତିରେ ଏହା ସବୁଠାରୁ ବଡ଼ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଗତ ତିନି ମାସ ଭିତରେ ସୁନକ ତୃତୀୟ ବ୍ୟକ୍ତି ଭାବେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।
ପ୍ରଥମେ ବୋରିସ୍ ଜନସନ୍ ଇସ୍ତଫା ଦେଇଥିଲେ । ଯାହା ପରେ ସୁନକଙ୍କୁ ନିର୍ବାଚନରେ ହରାଇ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ଲିଜ୍ ଟ୍ରସ । ହେଲେ ସେ ମଧ୍ୟ ବେଶୀ ଦିନ ଏହି ପଦରେ ରହିପାରିନଥିଲେ । ତାଙ୍କ ଇସ୍ତଫା ପରେ ସୁନକ ପୁଣିଥରେ ରେସରେ ସାମିଲ୍ ହୋଇଥିଲେ ଏବଂ ଏଥର ତାଙ୍କୁ ବିଜୟ ମିଳିଛି । ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା, ଭାରତ ପାଇଁ ଦୀପାବଳି ଉପହାର ବୋଲି କୁହାଯାଉଛି ।
ରିପୋର୍ଟ : ଦୀପା ପ୍ରଧାନ