ସନଷ୍ଟାର ଟିଭି ବ୍ୟୁରୋ
ଜମସେଦପୁର : ମନୁଷ୍ୟର ଦ୍ୱିତୀୟ ଭଗବାନ ହେଲେ ଡ଼କ୍ଟର | ଯଦି ରକ୍ଷକ ସାଜନ୍ତି ଭକ୍ଷକ ତେବେ କହିବା କାହାକୁ ?ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଝାଡଖଣ୍ଡର ଜାମସେଦପୁରରେ | ରୋଗୀଙ୍କ ଆଖି ତାଡି ନେଲେ ଡାକ୍ତର । ଆଉ ଲଗାଇ ଦେଲେ ପିଲାମାନେ ଖେଳୁଥିବା କାଚବାଟି ।
ଜମସେଦପୁରରୁ ପାଖାପାଖି ୬୦ କିଲୋମିଟର ଦୂରରେ ଅଛି ଏକ ଆଦିବାସୀ ଗାଁ । ପାଖାପାଖି ଏଇ ଗାଁରେ ୧୫ ପରିବାର ରୁହନ୍ତି , ଗଙ୍ଗାଧର ମଧ୍ୟ ଏହି ଗାଁରେ ବାସ କରନ୍ତି ।ଗଙ୍ଗାଧରଙ୍କର ଆଖି ସମସ୍ୟା ଥିଲା | ଏନେଇ ଗାଁର ଜଣେ ମହିଳାଙ୍କ ସହ କଥା ହୋଇଥିଲେ ଗଙ୍ଗାଧର । ଯାହା ପରେ ମହିଳା ଜଣକ ମଧ୍ୟ ତାଙ୍କୁ ଏକ ଏନଜିଓ ସହ କଥା କରାଇ ଦେଇଥିଲେ । ଗତବର୍ଷ ନଭେମ୍ବରରେ ତାଙ୍କୁ ହସ୍ପିଟାଲକୁ ଆଣି ଏହି ଏନଜିଓ ଅସ୍ତ୍ରୋପଚାରର ଆରମ୍ଭ କରିଥିଲା । ଗଙ୍ଗାଧରଙ୍କ ସହ ଗାଁର ଆଉ କିଛି ଗ୍ରାମବାସୀ ମଧ୍ୟ ଆଖି ଅସ୍ତ୍ରୋପଚାର କରିଥିଲେ । ଏହାର କିଛି ଦିନ ପରେ ଗଙ୍ଗାଧରଙ୍କ ଆଖି ଧୀରେ ଧୀରେ କୁଣ୍ଡାଇ ହେବାକୁ ଲାଗିଲା । ତାଙ୍କୁ ପୁଣି ଥରେ ଜମସେଦପୁର, ରାଞ୍ଚି ଓ କୋଲକାତା ନେଇ ପରିବାର ଲୋକେ ଚିକିତ୍ସା କରାଇଥିଲେ । ତଥାପି ତାଙ୍କର ଏହି ସମସ୍ୟା ହୋଇନଥିଲା ।
ହଠାତ ଦିନେ ଆଖିରେ ଅଧିକ ଜଳାପୋଡା ହେବାରୁ ସମ୍ଭାଳି ନ ପାରି ଆଖିରେ ପାଣି ଢାଳି ଦେଇଥିଲେ ଗଙ୍ଗାଧର । କିଛି ସମୟ ପରେ ତାଙ୍କ ଆଖିର ଡୋଳା ବାହାରକୁ ବାହାରି ଆସିଥିଲା । ଯାହାକୁ ଦେଖି ଗଙ୍ଗାଧରଙ୍କ ସମେତ ପରିବାର ଲୋକେ ଡରି ଯାଇଥିଲେ । ସେ ତୁରନ୍ତ ଆଇବଲ୍ ଧରି ହସ୍ପିଟାଲରେ ପହଞ୍ଚିଥିଲେ। ଏବଂ ସେଠାରେ ଯାଞ୍ଚ ପରେ ସତ ସାମ୍ନା କୁ ଆସିଥିଲା | ଡାକ୍ତରଙ୍କ କଳା କାରନାମା ପଦାରେ ପଡିଥିଲା ।
ଏହି ଘଟଣା ପରେ ପିଡିତ ଆଦିବାସୀ ଗଙ୍ଗାଧର ସିଂ କେସିସି ହସ୍ପିଟାଲ କର୍ତ୍ତୃପକ୍ଷ ଓ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି |
ରିପୋର୍ଟ : ଦୀପା ପ୍ରଧାନ