ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର/ବ୍ରହ୍ମପୁର ; ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରବିବାର ଦିନ ଏକ ‘ଆଲୁମିନି ମିଟ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋ’ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ନୂଆ ଇ-ଲାଇବ୍ରେରି ଓ କମ୍ପ୍ୟୁଟର ଲ୍ୟାବର ଉଦଘାଟନ କରିଥିଲେ।
‘‘ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ମୋ କଲେଜ ଅଭିଯାନ ସହିତ ଯୋଡ଼ି ହୋଇ ନିଜର ପ୍ରିୟ ଶିକ୍ଷାନୁଷ୍ଠାନର ବିକାଶର ସାଥୀ ହୁଅନ୍ତୁ। କାରଣ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବା ଓ ସେମାନଙ୍କ ପୁରୁଣା ସ୍ମୃତିକୁ ଫେରି ପାଇବା ଲାଗି ମୋ କଲେଜ ଅଭିଯାନ ଏକ ଉପଯୁକ୍ତ ପ୍ଲାଟଫର୍ମ’’, ଆଲୁମିନି ମିଟ୍ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଏଭଳି ଆହ୍ୱାନ ଦେଇଥିଲେ ଆକାଶ ଦାସନାୟକ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଏହି ‘ଆଲୁମିନି ମିଟ୍’ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି କହିଥିଲେ, ‘‘ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ମେରୁଦଣ୍ଡ ହେଉଛନ୍ତି ତା’ର ପୁରାତନ ଛାତ୍ରଛାତ୍ରୀ। ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ ଗୋଟିଏ ଶିକ୍ଷାନୁଷ୍ଠାନକୁ ବିକାଶ ଦିଗରେ ଆଗକୁ ନିଏ। ତେଣୁ ଆମ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ମୁଁ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ।’’