ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବିଧାନସଭା ଗୃହରେ ଉଠିଲା ଓ୍ବେବ ଚ୍ୟାନେଲ କୁ ମାନ୍ୟତା ମିଳିବା ପ୍ରସଙ୍ଗ। ଶ୍ରୀମତୀ ଟେଟେ ପ୍ରସଙ୍ଗ ଉଠାଇ କହିଲେ ଯେ ଓଡିଶାରେ ବର୍ତ୍ତମାନ ଓ୍ବେବ ଚ୍ୟାନେଲ କାର୍ଯ୍ୟକରୁଛି ତାଙ୍କୁ କାହିଁକି ସରକାରୀ ମାନ୍ୟତା ମିଳୁନାହିଁ। ଏହାସହ ତାଙ୍କୁ ସରକାରୀ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାର କେଉଁ କେଉଁ ଯୋଜନା ହାତକୁ ନେଇଛନ୍ତି। ବିଧାୟିକାଙ୍କ ଏହି ପ୍ରଶ୍ନରେ ଉତ୍ତର ରଖି ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ କହିଛନ୍ତି ଯେ ଓ୍ବେବ ଚ୍ୟାନେଲ ଗୁଡିକୁ ସରକାରୀ ମାନ୍ୟତା ପ୍ରଦାନ କରିବା ବିଷୟଟି ରାଜ୍ୟ ସରକାରଙ୍କ ଅଧିନସ୍ଥ ନୁହେଁ। ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଯୋଜନା / କାର୍ଯ୍ୟକ୍ରମ ଗୁଡିକର ବିଜ୍ଞାପନ ଓ୍ବେବ ଚ୍ୟାନେଲ ମାଧ୍ୟମରେ ପ୍ରସାରଣ କରିବା ନିମନ୍ତେ , ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଏକ ଓ୍ବେବ ମିଡିଆ ପଲିସି ପ୍ରସ୍ତୁତ କରାଯାଇଛି । ଏହି ପଲିସି ଅନୁଯାୟୀ ଯୋଗ୍ୟ ବିବେଚିତ ଓ୍ବେବ ଚ୍ୟାନେଲ ଗୁଡିକୁ ତାଲିକାଭୁକ୍ତ କରାଯାଇଥାଏ ଏବଂ ଆବଶ୍ୟକ ସ୍ଥଳେ ବିଜ୍ଞାପନ ପ୍ରସାରଣ ବ୍ୟବସ୍ଥା କରାଯାଇଥାଏ। ରାଜ୍ୟରେ କାମ କରୁଥିବା ଓ୍ବେବ ଚ୍ୟାନେଲ ଗୁଡିକୁ ସରକାରୀ ମାନ୍ୟତା ଦେବା ପାଇଁ ବର୍ତ୍ତମାନ କୌଣସି ନିୟମ ନାହିଁ ।
ରାଜ୍ୟରେ ବର୍ତ୍ତମାନ ଘରେ ଘରେ ଛତୁ ପରି ଓ୍ବେବ ଚ୍ୟାନେଲ ଖୋଲିଗଲାଣି। ଏହାସହ ଗଣମାଧ୍ୟମ ଏବେ ଯେଉଁ ଦିଗରେ ଗତି କରୁଛି ଏହା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନିହାତି ଭାବରେ ଆବଶ୍ୟକ ବୋଲି ପ୍ରକାଶ ପାଉଛି।