ସନଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ତଥା ଗୃହ ବିଭାଗର ମାନ୍ୟବର ରାଷ୍ଟମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଖୁବଶୀଘ୍ର ଏହି ଅନ୍ତର୍ଜାତୀୟ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।ଏହି ଗସ୍ତ ବେଳେ ମନ୍ତ୍ରୀଙ୍କ ସହ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଶ୍ରୀଯୁକ୍ତ ଆର୍ ଭିନିଲ କ୍ରିଷ୍ଣା ଏବଂ ଇଡକୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭୁପିନ୍ଦର ସିଂହ ପୁନିଆ ମଧ୍ୟ ସାମିଲ ହୋଇଥିଲେ। ଏହି ଉଚ୍ଚସ୍ତରୀୟ ଟିମ୍ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ନିର୍ମାଣାଧୀନ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ପରେ ପରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ବୁଲି ଦେଖିଥିଲେ।
ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ପରେ ମାନ୍ୟବର ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ, ୨୦୨୩ ପୁରୁଷ ବିଶ୍ୱକପ ହକି ପାଇଁ ଷ୍ଟାଡିୟମର ବିଭିନ୍ନ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏଠାରେ ହେଉଥିବା ଅଭ୍ୟାସ ପଡ଼ିଆର ନିର୍ମାଣ କାମ ଇତିମଧ୍ୟରେ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ଭିତରେ ମୁଖ୍ୟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହେବ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓ ସଚିବସ୍ତରୀୟ ଟିମ୍ ମୁଖ୍ୟ ଷ୍ଟାଡିୟମ ସହିତ ପ୍ରବେଶ ପଥ, ଅଭ୍ୟାସ ପଡ଼ିଆ, ଦର୍ଶକ ଗ୍ୟାଲେରୀ, ଖେଳାଳି ଓ ଅଫିସିଆଲଙ୍କ ପାଇଁ ନିର୍ମାଣ କରାଯାଉଥିବା ରହଣୀସ୍ଥଳ, ଚେଞ୍ଜିଙ୍ଗ ରୁମ, ଅତ୍ୟାଧୁନିକ ଜିମ୍, ଶୌଚାଳୟ ଆଦି ବୁଲି ଦେଖିଥିଲେ।
ତା’ଛଡ଼ା ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଭିତ୍ତିଭୂମିର ବିକାଶ ସହିତ ସହରର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏସବୁ କାର୍ଯ୍ୟ ସଠିକ ସମୟରେ ଶେଷ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟିର ଅଧିକାରୀମାନଙ୍କୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ସୁନ୍ଦରଗଡ଼ ହେଉଛି ହକିର ଅନ୍ତୁଡ଼ିଶାଳ। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗହଳିରୁ ଯେଉଁ ପିଲାମାନେ ହକି ପ୍ରତି ଆଗ୍ରହୀ ହୋଇ ଆସୁଛନ୍ତି ମୂଳରୁ ସେମାନଙ୍କ ଅଭ୍ୟାସ ପାଇଁ ବ୍ଲକ ସ୍ତରରେ ତିଆରି ହେଉଥିବା ଅନ୍ତର୍ଜାତୀୟ ମାନର ଟର୍ଫ ବିଶେଷ ସହାୟକ ହେବ। ସେମାନେ ସବୁ ଦୃଷ୍ଟିରୁ ପ୍ରସ୍ତୁତ ହୋଇ ଆଗାମୀ ଦିନରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଭାରତ ପାଇଁ ଗୌରବ ଆଣିପାରିବେ, ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା।
୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପର ଆୟୋଜନ ହେବାକୁ ଯାଉଛି। ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାଠାରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ଅନ୍ତର୍ଜାତୀୟ କ୍ରୀଡ଼ାର ବିଭିନ୍ନ ମ୍ୟାଚ ଖେଳାଯିବ। ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିବା ପାଇଁ ସୁବିଧା କରାଯାଉଛି।