ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଜି ଲୋକସେବା ଭବନ ପରିସରରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ , ଖଲିକୋଟ ପାଇଁ ପ୍ରସ୍ତୁତ ୱେବ୍ ସାଇଟ୍ http://gcacodisha.nic.in ର ଶୁଭ ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି । ଏହାକୁ ରାଜ୍ୟ ପର୍ଯ୍ୟଟନ , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ମଧୁସୂଦନ ପାଢୀ , ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ୱେବ୍ ସାଇଟ୍ କୁ ଉନ୍ମୋଚନ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ପାତ୍ର ଏହାର ଉପଯୋଗିତା ସଂପର୍କରେ ଆଲୋଚନା କରିଥିଲେ । ଓଡିଶା ସରକାରଙ୍କ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ପରିଚାଳିତ ଖଲିକୋଟ , ଗଞ୍ଜାମସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଏକ ପୁରାତନ କଳା ଅନୁଷ୍ଠାନ । ଏହା ଏକ ମନୋରମ ପରିବେଷ୍ଟନୀ ମଧ୍ୟରେ ୧୯୫୭ମସିହାରେ ପ୍ରତିଷ୍ଠା ଲାଭ କରି କଳାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିବା ସହିତ ଦେଶର ପୂର୍ବାଞ୍ଚଳରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ସୁନାମ ଅର୍ଜନ କରିଛି । ଓଡିଶା ସମେତ ଭାରତର ପଶ୍ଚିମ ବଙ୍ଗ , ଅରୁଣାଞ୍ଚଳ ପ୍ରଦେଶ , ବିହାର , ଉତ୍ତରପ୍ରଦେଶ ଓ ଦିଲ୍ଲୀ ଆଦି ବହୁ ରାଜ୍ୟରୁ ଛାତ୍ରଛାତ୍ରୀ ଆସି ଏଠାରେ ଅଧ୍ୟୟନ କରୁଛନ୍ତି । ଏଠାରୁ ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ନିଜକୁ ପ୍ରତିଷ୍ଠିତ କରିବା ସହିତ ଭାରତୀୟ କଳା ଇତିହାସ ତଥା ସାମ୍ପ୍ରତିକ କଳାକାରିତାକୁ ଋଦ୍ଧିମନ୍ତ କରିଆସୁଛନ୍ତି । ଏହି ୱେବ୍ ସାଇଟ୍ ଲୋକାର୍ପିତ ହେବା ଦ୍ବାରା ଓଡିଶା ତଥା ଦେଶର ଜନସାଧାରଣ ଉପକୃତ ହେବା ସହିତ ଓଡିଆ କଳାକାରିତା ତଥା ସାମ୍ପ୍ରତିକ କଳାଚର୍ଚ୍ଚାର ପରିସର ସୁଦୂର ପ୍ରସାରି ହେବା ସଙ୍ଗେ ସଙ୍ଗେ କଳାର ଅଭିବୃଦ୍ଧିରେ ସହାୟକ ହେବ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସ୍ବାଗତ ଭାଷଣ ପ୍ରଦାନ ପୂର୍ବକ ଏହି ୱେବ୍ ସାଇଟ୍ ପ୍ରସ୍ତୁତି ଓ ଲୋକାର୍ପଣ ପାଇଁ ଉପସ୍ଥିତ ଅତିଥି ତଥା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ଜୟନ୍ତ ଦାସ ଏବଂ ଅଧ୍ୟାପକମାନେ ଉପସ୍ଥିତ ଥଲେ ।