ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଆଉ ମାତ୍ର ଦିନ ୨ଟି। ଆସନ୍ତା୧୮ରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ତେବେ ଏହି ସମୟରେ ଆଜି ଆପ ଏକ ଘୋଷଣା କରିଛି। ଏକ ରାଜନୈତିକ ପରାମର୍ଶଦାତା କମିଟି (ପିଏସି) ବୈଠକ ପରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଘୋଷଣା କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଏଏପି) ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ସିହ୍ନା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ ଦେଉଛୁ କିନ୍ତୁ ବିରୋଧୀଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ସିଂ କହିଛନ୍ତି।
ଏହି ବୈଠକରେ ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଡିଆ, ସଞ୍ଜୟ ସିଂ, ପଞ୍ଜାବ ସାଂସଦ ରାଘବ ଚଡ୍ଡା, ଅନ୍ୟ ପିଏସି ସଦସ୍ୟ ଉପସ୍ଥିତ ଥିଲେ। ଜୁଲାଇ ୧୮ ରେ, ରାଷ୍ଟ୍ରପତି ନିର୍ବାଚନରେ ଲୋକମାନେ ମତଦାନ କରିବେ।
ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର (ଏନଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ସମର୍ଥନ ଘୋଷଣା କରିବା ପରେ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ଜୁଲାଇ ୧୫ ରେ ଥିବା ମୁମ୍ବାଇ ଗସ୍ତକୁ ବାତିଲ କରିଦେଇଥିଲେ। ବର୍ତ୍ତମାନ ଏହି ଦୌଡରେ ଏନଡିଏ ପ୍ରାର୍ଥୀ ଆଗରେ ଥିବା ବେଳେ ନିର୍ବାଚନ ଶେଷ ପର୍ଯ୍ୟନ୍ତ ସିହ୍ନା ନିଷ୍ଠାର ସହ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି।