ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଉତ୍ତର ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ସୋମବାର ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଯୋଗୁଁ ସାରା ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ( ସିଇସି ) ପକ୍ଷରୁ ସୂଚନା ଦିଆଯାଇଛି । ଆରବସାଗର ଏବଂ ବଙ୍ଗୋପ ସାଗର ଆଡୁ ଅନୁକୂଳ ମୌସୁମୀ ପ୍ରବାହ ଯୋଗୁଁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଥିବା ବେଳେ ଜୁଲାଇ ୮ ତାରିଖ ବେଳକୁ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ସିଇସି ପକ୍ଷରୁ କୁହାଯାଇଛି । ଏହି ସମୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଅଂଚଳଗୁଡ଼ିକରେ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବ ବୋଲି ସିଇସି ସୂଚନା ଦେଇଛି । ସେହିପରି ଜୁଲାଇ ୧୧ ତାରିଖ ବେଳକୁ ଉତ୍ତର – ପଶ୍ଚିମ ବଙ୍ଗୋପ ସାଗରରେ ତୃତୀୟ ଥର ପାଇଁ ଲଘୁଚାପ ସୃଷ୍ଟି ହେବା ସହ ଜୁଲାଇ ୧୩ ତାରିଖ ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ମୂଶଳ ଧାରାରେ ( ୨୦ ସେମି ରୁ ଅଧିକ ) ବର୍ଷା ହେବାର ଆଶଙ୍କା ରହିଛି । ବିଶେଷ କରି ମହାନଦୀ , ବଂଶଧାରା ଏବଂ ଋଷିକୁଲ୍ୟା ନଦୀର କ୍ୟାଟ ଅଂଚଳରେ ଏହି ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍ ମାସରେ ବର୍ଷାର ପରିମାଣ କମ୍ ରହିଥିବା ବେଳେ ଜୁଲାଇ ମାସର ବର୍ଷା ଏହି ଅଭାବକୁ ପୂରଣ କରିଥିଲେ । ଜୁଲାଇ ୧୨ ରୁ ୧୫ ମଧ୍ୟରେ କୃଷକମାନେ ଧାନଫସଲ ରୋପଣ କରିପାରିବେ ବୋଲି ସିଇସି ପକ୍ଷରୁ କୁହାଯାଇଛି ।