ଭୁବନେଶ୍ୱର: ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ କଲେ ବିରୋଧୀ । ରାଜ୍ୟରେ ଅପରାଧ ବଢିଚାଲିଛି ହେଲେ କାହିଁକି କଡା କରାଯାଉନି ଆଇନି ବ୍ୟବସ୍ଥା ।ଆଜି ବିଧାନସଭାରେ ଚାଲିଥିବା ମୌସୁମି ଅଧିବେଶନର ଦ୍ୱିତୀୟ ଦିନରେ ଆଇନି ଶୃଙ୍ଖଳାକୁ ନେଇ ଘେରିଲେ ବିରୋଧୀ । ଏହି ଅବସରେ ବିରୋଧୀ ବିଧାୟକ ଶ୍ରୀ ବିଷ୍ଣୁ ଚରଣ ସେଠି ରାଜ୍ୟର ଆଇନ ଶୃଙ୍ଖଳା କୁ ନେଇ ଶାସକ ଦଳକୁ ପ୍ରଶ୍ନ କରିଥିଲେ । ଦିନକୁ ଦିନ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଲାଣି । ମୁଖ୍ୟତଃ ଓଡିଶାର ରାଜଧାନୀରେ ଅପରାଧ ବଢି ଚାଲିଛି । ତେବେ ଏ ସବୁ ବିରୋଧରେ ଠୋସ୍ ପଦକ୍ଷେପ ନନେବାର କାରଣ କଣ?
ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ରାଜଧାନୀରେ ଆଇନ ଶୃଙ୍ଖଳା ବଳବତ୍ତର ରହିଅଛି । ରାଜ୍ୟ ହେଉଥିବା ସମସ୍ତ ଆନ୍ଦୋଳନ, ବିକ୍ଷୋଭ, ସରକାରୀ ଦପ୍ତର ଘେରାଉ, ପଦଯାତ୍ରା ଓ ସମାବେଶ ଇତ୍ୟାଦି ପୁଲିସ ସୁବନ୍ଦୋବସ୍ତ ଭାବରେ ଆଲୋଚନା କରି ସୂଚାରରୂପେ ନିୟନ୍ତ୍ରିତ କରଛନ୍ତି ବୋଲି ରାଷ୍ଟ୍ରମନ୍ତ୍ରୀ କହିଛିନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ସଦାସର୍ବଦା ଆଇନ ଶୃଙ୍ଖଳା ରକ୍ଷା ଓ ଲୋକଙ୍କ ଧନ ଜୀବନ ରକ୍ଷାକୁ ପ୍ରାଥମିକତା ଦେଇଆସୁଛନ୍ତି ।