ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଚାଲିଥିବା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଏମଏଲଏ କୋଠା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳର ନେତା ଗଣେଶ ରାମ୍ ସିଂ ଖୁଣ୍ଟିଆ । ରାଜଧାନୀରେ ନୂତନ ଭାବେ ଏମଏଲଏ କୋଠା ନିର୍ମାଣ ହେବାକୁ ଥିବା ବେଳେ ଏହା ପାଇଁ ପୁରୁଣା ଭାବେ ବିଧାନସଭା ନିକଟରେ କେତୋଟି ସରକାରୀ ଘର ଭଙ୍ଗା ଯାଇଛି ଓ ସେହି ସ୍ଥାନରେ କେତୋଟି ଘର ନିର୍ମାଣ ହେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି, ଘର ଭଙ୍ଗା ହେବା ପାଇଁ ସରକାର କେତେ ଟଙ୍କାର ବ୍ୟୟ ବରାଦ କରିଛନ୍ତି ଓ କେଉଁ କମ୍ପାନୀକୁ ଏହାର ଦାଇତ୍ବ ଦେଇଛନ୍ତି ଏହାକୁ ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ଗଣେଶ ରାମ୍ ସିଂ ଖୁଣ୍ଟିଆ। ଏହା ସହିତ ପୁରୁଣା ଘରେ ଲାଗିଥିବା କବାଟ ଝରକା , ଇଟା , ଲୁହା ପାଇପ , ଆଜବେଷ୍ଟସ ଅନ୍ୟାନ୍ୟ ସାମଗ୍ରୀ ସବୁ କୁଆଡେ ଗଲା ।ଏବଂ ନୂତନ ଭାବେ ତିଆରି ହେବାକୁଥିବା ଘର ପିଛା ସରକାର କେତେ ବ୍ୟୟ ଅଟକଳ କରିଛନ୍ତି ଏହାକୁ ନେଇ ପ୍ରଶ୍ନ କରିଛନ୍ତି। ସମୁଦାୟ କେତୋଟି ଘର ପାଇଁ ମୋଟ କେତେ ଟଙ୍କା ଖର୍ଚ୍ଚ ହେବାକୁ ଅଛି ଓ କେଉଁ ସଂସ୍ଥା ଏ କାମ ହାତକୁ ନେଇଛି ଏହି ସମ୍ପର୍କରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ , ମାନ୍ୟବର ମନ୍ତ୍ରୀ , ନିର୍ମାଣ , ଇସ୍ପାତ ଓ ଖଣି ଙ୍କୁ ପ୍ରଶ୍ନ କରିଥିଲେ ଶ୍ରୀ ଖୁଣ୍ଟିଆ ।
ଉତ୍ତରରେ ମନ୍ତ୍ରୀ କହିଛନ୍ତି ନୂତନ ଏମଏଲଏ କୋଠା ନିର୍ମାଣ ପାଇଁ ୮୨ ଟି ପୁରୁଣା କୋଠା ବର୍ତ୍ତମାନ ସୁଦ୍ଧା ଭଙ୍ଗାଯାଇଅଛି। ଏବଂ ସେହି ସ୍ଥାନରେ ୩୦୦ ଟି ସରକାରୀ ବାସଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଘର ଭାଙ୍ଗିବା ସହିତ ସେ ଘରେ ଲାଗିଥିବା କବାଟ , ଝରକା , ଇଟା , ଲୁହା ପାଇପ , ଆଜବେଷ୍ଟସ ତଥା ଅନ୍ୟାନ୍ୟ ସାମଗ୍ରୀ ସହିତ ସମସ୍ତ ଆନୁଷଙ୍ଗିକ ଗୃହ ଭଗ୍ନାବିଶେଷ ଗୁଡିକ ଉକ୍ତ ଜାଗାରୁ ନେଇଯିବା ପାଇଁ ସରକାରଙ୍କୁ ସର୍ବୋଚ୍ଚ ମୂଲ୍ୟ ୨୨,୨୪,୦୦୦, ୦୦ ଟଙ୍କା କ୍ରିଏଟିଭ ନାମକ ସଂସ୍ଥା ପୈଠ କରିଛି। ଏହାବାଦ ନୂତନ ଭାବେ ତିଆରି ହେବାକୁ ଥିବା ମୋଟ ୩୦୦ ଟି ସରକାରୀ ବାସଗୃହ ପାଇଁ ମୋଟ ୫୪୯.୪୨ କୋଟି ଟଙ୍କା ବ୍ୟୟ ଅଟକଳ ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।