ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ସ୍ଵାଭାବିକ ରହିଥିବାରୁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେଉଛି । ତେବେ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ହେଲେ ଗତ ଦୁଇଦିନ ହେଲା ରାଜ୍ୟରେ ବିଶେଷ ବର୍ଷା ହୋଇନାହିଁ ।ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ କେତେକ ସ୍ଥାନ ସମେତ ସୁନ୍ଦରଗଡ , ଝାରସୁଗୁଡା , ସମ୍ବଲପୁର , ଗଞ୍ଜାମ , ଗଜପତି , ବରଗଡ , ଦେବଗଡ ଏବଂ ଅନୁଗୋଳ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ବିଶେଷକରି ନବରଙ୍ଗପୁର , ନୂଆପଡା , କଳାହାଣ୍ଡି , ବଲାଙ୍ଗୀର , କନ୍ଧମାଳ , ରାୟଗଡା , ମାଲକାନଗିରି , କୋରାପୁଟ , ଗଞ୍ଜାମ , ଗଜପତି , କେନ୍ଦୁଝର , ମୟୂରଭଞ୍ଜ ଏବଂ ସୁନ୍ଦରଗଡ ପ୍ରଭୃତି ୧୩ ଜିଲ୍ଲାରେ ବଜ୍ରପାତକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କ ସୂଚନା ଦିଆଯାଇଛି। ଏହା ସହିତ ୩୦ ରୁ ୩୧ ତାରିଖ ରାଜ୍ୟରେ ବର୍ଷାର ପରିମାଣ ଟିକିଏ ବଢ଼ିପାରେ ବୋଲି ସୂଚନା ଦିଆଯାଇଛି । ଜୁଲାଇ ୩ ବେଳକୁ ଉତ୍ତର ଓଡ଼ିଶାର ସ୍ଥଳଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହି ଘୂର୍ଣ୍ଣିବଳୟ ରାଜ୍ୟରେ ବିଶେଷ ବର୍ଷା ଆଣି ନ ପାରେ ବୋଲି ସୂଚନା ମିଳିଛି ।