ସନଷ୍ଟାର ଟିଭି ବ୍ୟୁରୋ
ଉଦଳା :ଆଇନ ଆଗରେ ହାରିଗଲା ମମତା । ମାଟି ଖୋଳି ପୋତା ଯାଇଥିବା ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଉଦ୍ଧାର କରିଲା ପୋଲିସ୍ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ । କିଛି ଦିନ ତଳେ ଉଦଳା ଥାନା ଏନଏସି ୩ ନଂ ୱାର୍ଡର ଶରତ ପାତ୍ର ନିଜର ୫ ବର୍ଷର ପୁଅ ରିତେଶ ପାତ୍ରକୁ ସାଙ୍ଗରେ ନେଇ ଉଦଳାର ଏକ ହୋଟେଲରେ ହେଉଥିବା ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ଏହି ସମୟରେ ବାପାଙ୍କ ହାତ ଛାଡି ପୁଅ ବୁଲୁଥିବା ବେଳେ ଅସାବଧାନତା ବଶତଃ ହୋଟେଲର ସୁଇମିଙ୍ଗ ପୁଲରେ ପଡିଯାଇଥିଲା । ପରେ ଏ ବାବଦରେ ଜାଣିବା ପରେ ତାକୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହା ଶୁଣିବା ପରେ ଭାରସାମ୍ୟ ହରାଇ ବସିଥିଲେ ବାପା ଏବଂ ମାଆ । ପୁଅକୁ ସାଙ୍ଗରେ ଧରି ଘରକୁ ଚାଲିଯାଇଥିବା ବେଳେ ପରେ ଡୁକୁରା ଡାକ୍ତରଖାନାରେ ନେଇ ଦେଖାଇଥିଲେ । ସେଠାରେ ମଧ୍ୟ ସମାନ ଉତର ପାଇବା ପରେ ପୁଅକୁ ନେଇ ନିଜ ଘର କପ୍ତିପଦା ଥାନା ଜାମବଣୀ ଗ୍ରାମକୁ ଯାଇ ସେଠାରେ ପୁଅର ଅନ୍ତିମ ସଂସ୍କାର କରିଥିଲେ । ଏବଂ ପୁଅକୁ ପୋତି ଦେଇଥିଲେ । ହେଲେ ଉଦଳା ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବା ବେଳେ ନାବାଳକର ବ୍ୟବଚ୍ଛେଦ କରାଇଥାଆନ୍ତା ପୋଲିସ୍ । ହେଲେ ବାପାମାଆ ବିନା ବ୍ୟବଚ୍ଛେଦର ପୁଅର ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରିଥିବା ବେଳେ ଆଜି ଉଦଳା ପୋଲିସ୍ ଜାମବଣୀ ଗ୍ରାମରେ ପହଂଚି କପ୍ତିପଦା ପୋଲିସ୍ ସହାୟତାରେ ମାଟି ତଳେ ପୋତା ଯାଇଥିବା ନାବାଳକର ମୃତଦେହକୁ ଉଦ୍ଧାର କରିଛି । ଏବଂ ବ୍ୟବଚ୍ଛେଦ କରାଇବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୁଅର ବ୍ୟବଚ୍ଛେଦ କରାଇବାକୁ ବାପାମାଆ ରାଜି ନ ହେବା ସହିତ ସେମାନେ ପୁଅର ବ୍ୟବଚ୍ଛେଦ ହେବା ସହିପାରିବେ ନାହିଁ ବୋଲି ବିନା ବ୍ୟବଚ୍ଛେଦରେ ମୃତଦେହ ନେଇ ଯାଇଥିଲେ । ହେଲେ ଆଇନ ଆଗରେ ହାରିଗଲା ମମତା । ପୋଲିସ୍ ମୃତଦେହକୁ ମାଟିତଳୁ ଉଦ୍ଧାର କରିଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ନେଇଛି ।(ରିପୋର୍ଟ:ଆଲୋକ କୁମାର ବେହେରା)