ସନଷ୍ଟାର ଟିଭି ବ୍ୟୁରୋ
ପୁରୀ : ପାଖେଇ ଆସିଲାଣି ମହାପ୍ରଭୁଙ୍କର ଘୋଷଯାତ୍ରା। ଏଥିପାଇଁ ରଥଖଳାରେ କାର୍ଯ୍ୟ ସବୁ ତ୍ବରାନ୍ବିତ ହେବାର ଲାଗିଛି। ବଡ଼ଦାଣ୍ଡ ରଥଖଳାରେ ବୁଧବାର ତିନିରଥରେ ପ୍ରଥମ ଭୂଇଁର ୬କାଠ ଉଠିଛି । ଏହା ସହ ଦ୍ଵିତୀୟ ଓ ତୃତୀୟ ଭୂଇଁ ପାଇଁ କାର୍ଯ୍ୟ ଶେଷ ହୋଇଛି । ଗୁରୁବାର ୧୪ ନାହାକ ଉଠିବା ସମ୍ଭାବନା ରହିଛି । ୧୯୬ ମହାରଣା , ଭୋଇ , କରତି , ରୂପକାର ଓ କମାର ସେବକ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ମଙ୍ଗଳବାର ସ୍ନାନପୂର୍ଣ୍ଣିମା ତିଥିରେ ତିନିରଥରେ ୧୪ନାହାକା ପାଇଁ ମାପଚୁପ କରାଯାଇଥିଲା । ୬ଟି ଓରା ସମେତ୪ଗୋଟି ଖମ୍ବି ସଂଯୋଗ କରାଯାଇଥିଲା । ଏହାଛଡା ଭୂଇଁର ପ୍ରଥମ ଭାଗରେ କନକମୁଣ୍ଡି ସଂଯୋଗ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ତିନିରଥରେ ୮ଟି ଲେଖାଏ ଗାରେଡି ଏବଂ ୪ଟି ଲେଖାଏ ଅଁଳା ନିର୍ମାଣ ଶେଷ ହୋଇଥିଲା । ରୂପକାର ସେବକ ରଥ ସିଂହାସନରେ କୁମ୍ଭ , ଡାଳିଲତା ଓ ପଦ୍ମପାଖୁଡା ଖୋଦେଇ କରୁଛନ୍ତି । ନାଟଗୋଡ ଗୁଡିକରେ ଗନ୍ଧର୍ବ ରୂପ ଖୋଦେଇ କରାଯାଉଛି । ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ବିଡ଼ିଆ କଣ୍ଟା ଓ ଫାନ୍ଦକଣ୍ଟା ପ୍ରସ୍ତୁତ କରୁଛନ୍ତି ।